ନୂଆଦିଲ୍ଲୀ: ଇଂଲଣ୍ଡରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପରବର୍ତ୍ତୀ ୩ଟି ଫାଇନାଲ ମ୍ୟାଚ୍ ଆୟୋଜନ କରିବ। ଏ ନେଇ ରବିବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)। ଏପର୍ଯ୍ୟନ୍ତ ସମସ୍ତ ତିନୋଟି WTC ଫାଇନାଲ୍ ଇଂଲଣ୍ଡରେ ଅନୁଷ୍ଠିତ ହୋଇଛି। ଏବେ ୨୦୨୭, ୨୦୨୯ ଓ ୨୦୩୧ର ଫାଇନାଲ୍ ମଧ୍ୟ ଇଂଲଣ୍ଡ ମାଟିରେ ଖେଳାଯିବ। କିଛି ସମୟ ପୂର୍ବରୁ, BCCI ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲା, କିନ୍ତୁ ICCର ଏହି ନୂତନ ଘୋଷଣା ସହିତ, ଅତି କମରେ ୨୦୩୧ ପର୍ଯ୍ୟନ୍ତ BCCIର ଯୋଜନା ଯୋଜନାରେ ରହି ଯାଇଛି।
ICC ନିଜର ବିବୃତ୍ତି ଜାରି କରି କହିଛି ଯେ, "WTC ଫାଇନାଲର ପୂର୍ବ ତିନୋଟି ସଫଳ ଆୟୋଜନକୁ ଦୃଷ୍ଟିରେ ରଖି, ICC ସ୍ପଷ୍ଟ କରିଛି ଯେ ୨୦୨୭. ୨୦୨୯ ଓ ୨୦୩୧ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ ଆୟୋଜନ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) କୁ ହସ୍ତାନ୍ତର କରାଯାଉଛି।"
୨୦୨୧ରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ ଇଂଲଣ୍ଡର ରୋଜ୍ ବାଉଲ୍ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ପ୍ରତମ ଡବ୍ଲ୍ୟଟିସି ଫାଇନାଲ୍ରେ ନ୍ୟୁଜିଲାଣ୍ଡ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା। ଏହା ପରେ, ୨୦୨୩ ଫାଇନାଲ୍ ଇଂଲଣ୍ଡର ଓଭାଲ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା, ଏଥର ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆକୁ ୨୦୯ ରନରେ ପରାସ୍ତ କରି ଟାଇଟଲ୍ ଜିତିଥିଲା। ୨୦୨୫ରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ହରାଇ ବିଜୟୀ ହୋଇଥିଲା।
ପୂର୍ବରୁ, କ୍ରିକେଟ୍ ବିଶେଷଜ୍ଞ ଏବଂ ଅନେକ ଖେଳାଳି ମଧ୍ୟ ଦାବି କରିଥିଲେ ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଏବଂ ଏଥିରେ ବିବିଧତା ଆଣିବା ପାଇଁ ଏସୀୟ ପିଚ୍ରେ ଆୟୋଜନ କରାଯାଉ। ସେହି ସମୟରେ, ବିସିସିଆଇ ୨୦୨୭ ଫାଇନାଲ୍ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଥିଲା। କିନ୍ତୁ ଯଦି ଭାରତ ଫାଇନାଲରେ ନ ପହଞ୍ଚେ, ତେବେ ଫାଇନାଲ୍ ଦେଖିବାକୁ ଆସୁଥିବା ପ୍ରଶଂସକଙ୍କ ସଂଖ୍ୟାରେ ହ୍ରାସ ହୋଇପାରେ। ସେମିତିରେ ବି ଭାରତରେ ଟେଷ୍ଟ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା କମ ଦେଖିବାକୁ ମିଳିଛି। କିନ୍ତୁ ଇଂଲଣ୍ଡରେ ଟେଷ୍ଟ କ୍ରିକେଟ୍ ପ୍ରତି ଲୋକଙ୍କ ଏବେ ବି ଆକର୍ଷଣ ରହିଛି। ଫଳରେ ସେଠାକାର ପ୍ରତିଟି ଷ୍ଟାଡିୟମ ଦର୍ଶକରେ ଭରପୂର ରହିଥାଏ। ଏହି ବଡ କାରଣ ପାଇଁ ଇଂଲଣ୍ଡକୁ ଡବ୍ଲ୍ୟୁଟିସି ଫାଇନାଲ୍ର ଆୟୋଜନ ଅଧିକାର ଦିଆଯାଇଛି।