ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଉପରେ ସଙ୍କଟର କଳା ବାଦଲ ଛାଇ ରହିଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏସୀୟ କ୍ରିକେଟ୍ କାଉନସିଲ(ଏସିସି)ର ହେବାକୁ ଥିବା ବାର୍ଷିକ ବୈଠକକୁ ନେଇ କଡା ଆଭିମୁଖ୍ୟ ଆପଣେଇଛି । ଏହି ବୈଠକ ବାଂଲାଦେଶର ରାଜଧାନୀ ଢାକାରେ ହେବାକୁ ଯାଉଛି । ମାତ୍ର ଭାରତ ସ୍ପଷ୍ଟ କରିଛି ଯେ, ବୈଠକରେ ସ୍ଥାନ ପରିବର୍ତ୍ତନ ନ ହେଲେ ସେ ବୈଠକର ବହିଷ୍କାର କରିବ ।
ଋିପୋର୍ଟ ମୁତାବକ ବାଂଲାଦେଶରେ ସଂପ୍ରତି ଅବସ୍ଥା ଚିନ୍ତାଜନକ ରହିଛି । ତେଣୁ ବିସିସିଆଇ ବୈଠକର ସ୍ଥାନ ବଦଳାଇବାକୁ ଦାବି କରିଛି । ତେବେ ଏ ପର୍ଯ୍ୟନ୍ତ ଏସିସି ଅଧ୍ୟକ୍ଷ ମୋହସିନ ନକଭିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ମୋହସିନ ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ଅଧ୍ୟକ୍ଷ ଥିବା ସହ ଏସିସିର ମଧ୍ୟ ଅଧ୍ୟକ୍ଷ ଅଛନ୍ତି ।
ସୂତ୍ର ମୁତାବକ ଏସିସି ଚେୟାରମ୍ୟାନ ମୋହସିନ ଭାରତ ଉପରେ ଅନାବଶ୍ୟକ ଚାପ ପକାଇବାକୁ ଉଦ୍ୟମ କରୁଛନ୍ତି । ତେଣୁ ବିସିସିଆଇର ସ୍ଥାନ ପରିବର୍ତ୍ତନ କରିବା ଦାବି ଉପରେ ଏ ପର୍ଯ୍ୟନ୍ତ ମୋହସିନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
ବିସିସିଆଇର କହିବ କଥା ଏସିଆ କପ ତେବେ ହୋଇ ପାରିବ, ଯେବେ ମିଟିଂର ସ୍ଥାନ ଢାକାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଯଦି ମୋହସିନ ଢାକାରେ ବୈଠକ କରନ୍ତି ତେବେ ବିସିିସିଆଇ ଏସିସିର ଯେ କୌଣସି ନିଷ୍ପତ୍ତିକୁ ବହିଷ୍କାର କରିବ ।
ଏସିଆ କପର ଆୟୋଜନ ଅଧିକାର ଭାରତ ପାଖରେ ରହିଛି । ମାତ୍ର ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ସ୍ଥିତ ସ୍ପଷ୍ଟ ହୋଇ ନାହିଁ । ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ ଏବଂ ଏଥିରେ ୬ଟି ଦଳ ଅଂଶ ଗ୍ରହଣ କରିବେ । ହେଲେ ଏ ପର୍ଯ୍ୟନ୍ତ ନା ଏହାର ତାରିଖ ସ୍ଥିର ହୋଇଛି ନା ଭେନ୍ୟୁ । ଯଦି ସବୁ କିଛି ଠିକ୍ ରହେ ତେବେ ଟୁର୍ଣ୍ଣାମେଣ୍ଟ ୨୦୨୫ ସେପ୍ଟେମ୍ବରରେ ହୋଇପାରେ ।