ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୁଲାଇ ୨୩ରୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଚତୁର୍ଥ ଟେଷ୍ଟ ଖେଳାଯିବ । ତେଣୁ ଭାରତୀୟ ଦଳ ଟ୍ରେନ ଜରିଆରେ ମାଞ୍ଚେଷ୍ଟର ପହଞ୍ଚିଛନ୍ତି । ଏଠାରେ ଖେଳାଳିଙ୍କୁ ହାଲୁକା ବର୍ଷା ସ୍ୱାଗତ କରିଛି । ବିସିସିଆଇ ଟିମ୍ ଇଣ୍ଡିଆର ମାଞ୍ଚେଷ୍ଟର ପହଞ୍ଚିବାର ଫଟୋ ଏକ୍ସରେ ସେୟାର କରିଛି । ଏଥିରେ ଅଧିନାୟକ ଶୁଭମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ଋଷଭ ପନ୍ତ, ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ନଜର ଆସୁଛନ୍ତି । ଫଟୋରେ ସମସ୍ତ ଖେଳାଳି ଷ୍ଟେସନରୁ ବାହାରି ଟିମ୍ ବସରେ ଚଢୁଥିବା ଦେଖିବାକୁ ମିଳିଛି ।
ଲର୍ଡ୍ସରେ ପରାଜୟ ପରେ ଭାରତୀୟ ଦଳ ଲଣ୍ଡନରେ ଅଟକିଥିଲେ ଏବଂ ବେକେନହାମରେ ଏକ ଟ୍ରେନିଂ ସେସନର ଆୟୋଜନ କରିଥିଲା । ଏଥିରେ କେଏଲ ରାହୁଲଙ୍କୁ ବାଦ ଦେଲେ ବାକି ସମସ୍ତ ଖେଳାଳି ସାମିଲ ହୋଇଥିଲେ । ମାଞ୍ଚେଷ୍ଟର ପହଞ୍ଚିବା ପରେ ଭାରତୀୟ ଦଳ ଚତୁର୍ଥ ଟେଷ୍ଟ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ତିନି ଦିନ ଖୁବ୍ ଅଭ୍ୟାସ କରିବ । ପ୍ରଥମ ସେସନ ବନ୍ଦ ଦ୍ୱାରରେ ହେବ । ଏହା ପରେ ମିଡିଆକୁ ଜୁଲାଇ ୨୧ ଓ ୨୨ରେ ହେବାକୁ ଥିବା ପ୍ରାକ୍ଟିସ ସେସନର କଭର କରିବାକୁ ଅନୁମତି ମିଳିବ ।
ଭାରତୀୟ ଦଳ ମାଞ୍ଚେଷ୍ଟର ଟେଷ୍ଟ ଜିତି ସିରିଜ୍ ୨-୨ରେ ବରାବର କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ଇଂଲଣ୍ଡ ସିରିଜ୍ ଜିତିବା ଲକ୍ଷ୍ୟ ନେଇ ମ୍ୟାଚ୍ ଖେଳିବ । ଏହି ମ୍ୟାଚରେ ସଭିଙ୍କ ନଜର ଯଶପ୍ରୀତ ବୁମରାଙ୍କ ଉପରେ ରହିବ । ବୁମରା ଏହି ମ୍ୟାଚ୍ ଖେଳିବେ କି ନାହିଁ ତାକୁ ନେଇ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି । କାର୍ଯ୍ୟଭାର ଚାପ ଯୋଗୁଁ ବୁମରା ସିରିଜରେ ୩ଟି ମ୍ୟାଚ୍ ଖେଳିବେ ବୋଲି ଆଗରୁ ଘୋଷଣା କରି ସାରିଥିଲେ । ପ୍ରଥମ ତିନୋଟି ଟେଷ୍ଟରୁ ସେ ଦୁଇଟି ଖେଳି ସାରିଥିବା ବେଳେ ବାକି ଦୁଇଟି ମ୍ୟାଚରୁ କେଉଁ ମ୍ୟାଚ୍ ଖେଳିବେ ତାହା ମ୍ୟାଚ୍ ଦିନ ଜଣା ପଡିବ ।