ନୂଆଦିଲ୍ଲୀ: ମାଞ୍ଚେଷ୍ଟରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୁଲାଇ ୨୩ରୁ ଚତୁର୍ଥ ଟେଷ୍ଟ ଖେଳାଯିବ । ଏହି ମ୍ୟାଚକୁ ଆଉ କିଛି ସମୟ ବାକି ରହିଛି । ତେବେ ଏହା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଡବଲ ଝଟକା । ନୀତିଶ କୁମାର ରେଡ୍ଡୀ ପୂରା ସିରିଜରୁ ବାଦ୍ ପଡିଥିବା ବେଳେ ଅର୍ଶଦୀପ ସିଂ ଚତୁର୍ଥ ଟେଷ୍ଟରୁ ବାଦ୍ ପଡିଛନ୍ତି । ରେଡ୍ଡୀଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ଅର୍ଶଦୀପଙ୍କ ବାମହାତରେ ଆଘାତ ଲାଗିଛି । ଅଂଶୁଲ କମ୍ବୋଜଙ୍କୁ କଭର ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି । ଅନ୍ୟପଟେ ଋଷଭ ପନ୍ତ ଓ ଆକାଶଦୀପ ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ତେବେ ଆଶ୍ୱସ୍ତିର ବିଷୟ ଋଷଭ ପନ୍ତ ସୁସ୍ଥ ହୋଇ ଯାଇଛନ୍ତି ।
ବିସିସିଆଇର ପ୍ରେସ୍ ରିଲିଜ ଅନୁସାରେ, ଅଲରାଉଣ୍ଡର ନୀତିଶ ରେଡ୍ଡୀ କୁମାର ରେଡ୍ଡୀଙ୍କ ବାମ ଆଣଣ୍ଠୁରେ ଆଘାତ ଲାଗିବା କାରଣରୁ ଅବଶିଷ୍ଟ ଦୁଇଟି ଟେଷ୍ଟରୁ ବାହାରି ଯାଇଛନ୍ତି । ସେ ସ୍ୱଦେଶ ଫେରିଯିବେ ଏବଂ ତାଙ୍କର ଚିକିତ୍ସା ଆରମ୍ଭ ହେବ । ଅନ୍ୟପଟେ ବେକେନହାମରେ ଏକ ଟ୍ରେନିଂ ସେସନରେ ନେଟ୍ସରେ ବୋଲିଂ କରିବା ବେଳେ ଅର୍ଶଦୀପ ସିଂଙ୍କ ବାମହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା । ତେଣୁ ତାଙ୍କୁ ଚତୁର୍ଥ ଟେଷ୍ଟରୁ ବାଦ୍ ଦିଆଯାଇଛି । ବିସିସିଆଇର ଡାକ୍ତରୀ ଦଳ ଏହି ବାମହାତୀ ଦ୍ରୁତ ବୋଲରଙ୍କ ଆଘାତ ଉପରେ ନଜର ରଖୁଛନ୍ତି ।
ତୃତୀୟ ଟେଷ୍ଟ ପରେ ବୁମରାଙ୍କୁ ଚତୁର୍ଥ ଟେଷ୍ଟରେ ବିଶ୍ରାମ ଦିଆଯିବା ନେଇ ବିଚାର ଚାଲିଥିଲା । ଏପରିକି ମହମ୍ମଦ ସିରାଜଙ୍କ କାର୍ଯ୍ୟଭାର ଉପରେ ମଧ୍ୟ ବିଚାର କରାଯାଉଥିଲା । କିନ୍ତୁ ଅର୍ଶଦୀପଙ୍କ ବାଦ୍ ପଡିବା ସହ ଆକାଶଦୀପଙ୍କ ମଧ୍ୟ ଚତୁର୍ଥ ଟେଷ୍ଟ ଖେଳିବା ସନ୍ଦେହ ଘେରରେ ରହିଛି । କାରଣ ସେ ମଧ୍ୟ ଆଘାତ ସମସ୍ୟା ଦେଇ ଗତି କରୁଛନ୍ତି । ଏମିତି ସ୍ଥିତିରେ ମାଞ୍ଚେଷ୍ଟର ଟେଷ୍ଟରେ ବୁମରା ଓ ସିରାଜଙ୍କ ଖେଳିବା ନିଶ୍ଚିତ । ଏବେ ଦେଖିବାକୁ ବାକି ରହିଲା ଯେ, ତୃତୀୟ ଦ୍ରୁତ ବୋଲର ଭାବେ ଚୂଡାନ୍ତ ଏକାଦଶରେ କାହାକୁ ସ୍ଥାନ ମିଳିବ । କଣ ଦଳ ପ୍ରବନ୍ଧକ ପ୍ରସିଦ୍ଧ କୃଷ୍ଣାଙ୍କ ଉପରେ ପୁନଃ ଭରସା କରିବେ ନା ଅଂଶୁଲ କମ୍ବୋଜଙ୍କୁ ସୁଯୋଗ ଦେବେ।