ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ବଡ ଝଟକା ଲାଗିଛି । ବ୍ୟାଟିଂ ଅଲରାଉଣ୍ଡର ନୀତିଶ କୁମାର ସିରିଜରୁ ବାଦ୍ ପଡିଛନ୍ତି । ନୀତିଶ ଭାରତୀୟ ଦଳ ସହ ମାଞ୍ଚେଷ୍ଟର ପହଞ୍ଚିଥିଲେ । ହେଲେ ରବିବାର ସେ ଟ୍ରେନିଂ ସେସନରେ ଭାଗ ନେଇ ନ ଥିଲେ । ନୀତିଶଙ୍କ ଦଳରୁ ବାଦ୍ ପଡିବାର ଖବର ଏମିତି ସମୟରେ ଆସିଛି, ଯେତେବେଳେ ଆକାଶଦୀପ ଓ ଅର୍ଶଦୀପ ସିଂ ଆହତ ହୋଇଛନ୍ତି । ଉଭୟଙ୍କ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ନୀତିଶ କୁମାର ରେଡ୍ଡୀଙ୍କ ଲିଗାମେଣ୍ଟ ସମସ୍ୟା ଦେଖା ଦେଇଛି । ତେବେ ବିସିସିଆଇ ପକ୍ଷରୁ ଅଦ୍ୟାବଧି କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ନୀତିଶଙ୍କ ଆହତ ସମସ୍ୟା କାରଣରୁ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ସମୀକରଣ ବିଗିଡିପାରେ । ଚତୁର୍ଥ ଟେଷ୍ଟ ଜୁଲାଇ ୨୩ରେ ମାଞ୍ଚେଷ୍ଟରରେ ଖେଳାଯିବ ।
ଗୋଟିଏ ପଟେ ଚତୁର୍ଥ ଟେଷ୍ଟରେ ଆକାଶଦୀପଙ୍କ ଖେଳିବା ନେଇ ମଧ୍ୟ ସଂଶୟ ରହିଛି । ପୁଣି ଅର୍ଶଦୀପଙ୍କ ବାମ ହାତରେ ଆଘାତ ଲାଗିଛି । ଏମିତି ଜଣେ ପରେ ଜଣେ ଖେଳାଳିଙ୍କ ଆହତ ସମସ୍ୟା ଭାରତୀୟ ଦଳ ଉପରେ ସିରିଜ୍ ପରାଜୟର ବାଦଲ ଛାଇ ଯାଇଛି । ଏହା ମଧ୍ୟରେ ଅଙ୍କୁଶ କମ୍ବୋଜ ମାଞ୍ଚେଷ୍ଟରରେ ଭାରତୀୟ ଦଳରେ ଯୋଗ ଦେଇଛନ୍ତି । ଏବେ ପ୍ରଶ୍ନ ଯେ, ଭାରତୀୟ ଦଳ ନିଜର ଚୂଡାନ୍ତ ଏକାଦଶରେ କିପରି ସନ୍ତୁଳନ ରଖିବ ।