ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲି ମାଞ୍ଚେଷ୍ଟରର ଅଲଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯିବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତୀୟ ଦଳ ୧-୨ରେ ପଛୁଆ ରହିଛି । ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଏହି ମ୍ୟାଚ୍ ଜିତିବା କିମ୍ବା ଅମୀମାସିଂତ ରଖିବା ଗିଲ୍ ବାହିନୀଙ୍କ ପାଇଁ ଅତି ଜରୁରୀ । ତେବେ ଏହି ମ୍ୟାଚ୍ ପାଇଁ ଚୂଡାନ୍ତ ଏକାଦଶ ଚୟନ କରିବା ଭାରତୀୟ ଦଳ ପାଇଁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ନୀତିଶ କୁମାର ରେଡ୍ଡୀ ପୂରା ସିରିଜରୁ ବାଦ୍ ପଡିଥିବା ବେଳେ ଚତୁର୍ଥ ଟେଷ୍ଟରୁ ବାହାରି ଯାଇଛନ୍ତି ଅର୍ଶଦୀପ ସିଂ । ପୁଣି ଦ୍ରୁତ ବୋଲର ଆକାଶଦୀପଙ୍କ ଚତୁର୍ଥ ଟେଷ୍ଟ ଖେଳିବା ନେଇ ସଂଶୟ ରହିଛି । ତେଣୁ ଚୂଡାନ୍ତ ଏକାଦଶ ଚୟନ ପାଇଁ ଅଧିନାୟକ ଶୁଭମନ ଗିଲ୍ ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସାମ୍ନାରେ ୬ଟି ବଡ ପ୍ରଶ୍ନ ରହିଛି ।
କରୁଣ ନାୟରଙ୍କୁ ନେଇ କଣ ହେବ ?
କରୁଣ ନାୟର ଚଳିତ ସିରିଜରେ ମିଳିଥିବା ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି । ନାୟର ୬ଟି ଇନିଂସରୁ ମାତ୍ର ୧୩୧ ରନ କରିଛନ୍ତି । ଏଥିରେ ସେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି । ଏମିତିରେ ଭାରତୀୟ ଦଳ ତାଙ୍କୁ ବାଦ୍ ଦେଇ ସାଇ ସୁଦର୍ଶନଙ୍କୁ ସୁଯୋଗ ଦେଇପାରେ ।
ଋଷଭ ପନ୍ତଙ୍କ ଉପରେ କଣ ନିଆଯିବ ନିଷ୍ପତ୍ତି ?
ପନ୍ତ ଗତ ମ୍ୟାଚରେ ଆହତ ହୋଇଥିଲେ । ଏହା ପରଠୁ ସେ ୱିକେଟ୍ କିପିଂ କରୁ ନାହାନ୍ତି । ମାତ୍ର ନିକଟରେ ତାଙ୍କୁ ପ୍ରାୟ ୧୦ ଦିନ ପରେ ୱିକେଟ୍ କିପିଂ କରୁଥିବା ଦେଖିବାକୁ ମିଳିଛି । ଯଦି ସେ ସଂପୂର୍ଣ୍ଣ ଫିଟ୍ ନାହାନ୍ତି ତେବେ ଦଳ ତାଙ୍କୁ କେବଳ ବ୍ୟାଟର ଭାବେ ଖେଳାଇପାରେ । ଏମିତି ହେଲେ ୱିକେଟ୍ କିପର ଭାବେ ଧ୍ରୁବ ଜୁରେଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ ।
ନୀତିଶଙ୍କ ସ୍ଥାନରେ କାହାକୁ ମିଳିବ ସ୍ଥାନ ?
ଆହତ ସମସ୍ୟା କାରଣରୁ ନୀତିଶ ରେଡ୍ଡୀ ସିରିଜରୁ ବାଦ୍ ପଡିଛନ୍ତି । ଏବେ ତାଙ୍କ ସ୍ଥାନରେ ଦଳ ପ୍ରବନ୍ଧକ କାହାକୁ ଖେଳାଉଛନ୍ତି ଦେଖିବା ବାକି ରହିଲା ।
ଆକାଶଦୀପ ଫିଟ୍ ଅଛନ୍ତି କି ନାହିଁ ?
ଆକାଶଦୀପ ମଧ୍ୟ ଆହତ କାରଣରୁ ଚିନ୍ତିତ । ମହମ୍ମଦ ସିରାଜ କହିଛନ୍ତି ଯେ, ଆକାଶଦୀପଙ୍କ ଗ୍ରୋଇନରେ ସମସ୍ୟା ରହିଛି । ହେଲେ ସେ ଏହା ସ୍ପଷ୍ଟ କରି ନାହାନ୍ତି ଯେ, ଆକାଶଦୀପ ଚତୁର୍ଥ ଟେଷ୍ଟ ପାଇଁ ଫିଟ୍ ଅଛନ୍ତି କି ନାହିଁ ।
କଣ କୁଲଦୀପ ଯାଦବଙ୍କୁ ମିଳିବ ସୁଯୋଗ ?
ଭାରତୀୟ ଦଳ ସାମ୍ନାରେ ସବୁଠୁ ବଡ ପ୍ରଶ୍ନ କଣ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଯିବ । ମାଞ୍ଚେଷ୍ଟରର ପିଚ୍ ଧିମା ହୋଇପାରେ । ଏମିତିରେ ଭାରତୀୟ ଦଳ କୁଲଦୀପଙ୍କୁ ଖେଳାଇବା ଉପରେ ବିଚାର କରିପାରେ ।
ଅଂଶୁଲ କମ୍ବୋଜ କରିବେ ପଦାର୍ପଣ ?
ଅଂଶୁଲ କମ୍ବୋଜଙ୍କୁ ଅର୍ଶଦୀପ ସିଂଙ୍କ ସ୍ଥାନରେ ଦଳରେ ସାମିଲ୍ କରାଯାଇଛି । ଏହା ପରେ କୁହାଯାଉଛି ଯେ, ଯଦି ଆକାଶଦୀପ ଚତୁର୍ଥ ଟେଷ୍ଟ ପାଇଁ ଦଳରେ ଉପଲବ୍ଧ ନ ରୁହନ୍ତି ତେବେ କମ୍ବୋଜଙ୍କୁ ପଦାର୍ପଣ ପାଇଁ ସୁଯୋଗ ମିଳିବ ।