ମାଞ୍ଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ମାଞ୍ଚେଷ୍ଟରର ଓଲଡ ଟ୍ରାଫର୍ଡରେ ଚତୁର୍ଥ ଟେଷ୍ଟ ଆରମ୍ଭ ହେବ । ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ୧-୨ରେ ପଛୁଆ ରହିଥିବା ଭାରତକୁ ଏହି ମ୍ୟାଚ୍ ଜିତିବା ବହୁତ ଜରୁରୀ । ହେଲେ ଚତୁର୍ଥ ଟେଷ୍ଟରେ ବର୍ଷାର କଳା ବାଦଲ ଛାଇ ରହିଛି । ପ୍ରଥମ ଦିନର ପୂରା ଖେଳ ବର୍ଷାରେ ଧୋଇ ଯାଇପାରେ । ଏହିପରି ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନ ବି ବର୍ଷାର ଆଶଙ୍କା ରହିଛି ।
ଆକ୍ୱେଦରର ରିପୋର୍ଟ ଅନୁଯାୟୀ, ବୁଧବାର ମାଞ୍ଚେଷ୍ଟରରେ ବର୍ଷାର ୧୯ ପ୍ରତିଶତ ସମ୍ଭାବନା ରହିଛି । ହେଲେ ଦିନ ଗଡିବା ସହ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ଅପରାହ୍ଣରେ ବର୍ଷା ହେବାର ୬୫ ପ୍ରତିଶତ ସମ୍ଭାବନା ରହିଛି । ବୁଧବାର ଦିନ ସାରା ୧.୨ ମିିଲିଲିଟର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାନା ୪୭ ପ୍ରତିଶତ ରହିଛି । ଗୁରୁବାର ବର୍ଷା ହେବାର ସମ୍ଭାବନା ୮୪ ପ୍ରତିଶତ ରହିଛି । କିନ୍ତୁ ତୃତୀୟ, ଚତୁର୍ଥ ଓ ପଞ୍ଚମ ଦିନରେ ଖେଳ ପାଇଁ ପାଗ ଅନୁକୂଳ ରହିବ ।
ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପିଚରେ ଆଦ୍ରତା ଓ ମେଘୁଆ ପାଗ କାରଣରୁ ଓଲ୍ଡ ଟ୍ରାଫର୍ଡର କ୍ରିକେଟ୍ ଗ୍ରାଉଣ୍ଡ ଆରମ୍ଭରେ ଦ୍ରୁତ ବୋଲରଙ୍କୁ ସହାୟତା ମିଳିବ । ବୋଲରଙ୍କୁ ବଲ୍ ସୁଇଙ୍ଗ କରିବା ପାଇଁ ପିଚ୍ ଅନୁକୂଳ ରହିପାରେ । କିନ୍ତୁ ଓଲ୍ଡ ଟ୍ରାଫର୍ଡର ପିଚ୍ ସମୟ ଗଡିବା ସହ ଶୁଷ୍କ ହୋଇଯାଏ । ମ୍ୟାଚର ଚତୁର୍ଥ ଏବଂ ପଞ୍ଚମ ଦିନ ପିଚ୍ ସ୍ପିନରଙ୍କୁ ମଧ୍ୟ ସୁହାଇପାରେ ।
ପାଣିପାଗ ଓ ପିଚ୍ ରିପୋର୍ଟ ଦେଖିଲେ ଆଜି ଷ୍ଟୋକ୍ସ କିମ୍ବା ଗିଲ୍ ଯେଉଁ ଅଧିନାୟକ ଟସ୍ ଜିତିବେ ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି । ଏ ପର୍ଯ୍ୟନ୍ତ ଖେଳା ଯାଇଥିବା ତିନୋଟି ଟେଷ୍ଟରେ ଇଂଲଣ୍ଡ ସବୁ ମ୍ୟାଚରେ ଟସ୍ ଜିତିଛି । ଏହି ଗ୍ରାଉଣ୍ଡରେ ଭାରତ ୯ଟି ମ୍ୟାଚ୍ ଖେଳି ୪ଟି ହାରିଥିବା ବେଳେ ୫ଟି ମ୍ୟାଚ୍ ଡ୍ର ରହିଛି ।