ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳ ମା ତାରିଣୀ ପୀଠ, ବିରଜା କ୍ଷେତ୍ର ଏବଂ ଏକାମ୍ର କ୍ଷେତ୍ରର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏ ନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଘଟଗାଁ ମା’ ତାରିଣୀ ପୀଠର ଉନ୍ନତିକରଣ ପାଇଁ ୩୦୦କୋଟି ଟଙ୍କା ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫୯ ଏକର ପରିମିତ ଅଞ୍ଚଳରେ ୪ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି । ଅଢେଇ ବର୍ଷ ମଧ୍ୟରେ ଏହି ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ତାରିଣୀଙ୍କ ପୀଠରେ ୨୦୦ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୩୦୦ ସିଟ୍ ବିଶିଷ୍ଟ ବ୍ୟାଖ୍ୟାନ କେନ୍ଦ୍ର, ନଡିଆ ଗୋଦାମ, ୫୦୦ ସିଟ୍ ବିଶିଷ୍ଟ ପ୍ରସାଦ ସେବନ ଗୃହ, ଫୁଡ ପ୍ଲାଜା, ପାର୍କିଂ ସୁବିଧା କରାଯିବ । ସେହିପରି ଦୋକାନୀ ମାନଙ୍କ ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରି ବ୍ୟବସ୍ଥିତ କରାଯିବ । ମନ୍ଦିର କମିଟି ସହିତ ଆଲୋଚନା କରି ଏ ସବୁ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସେହିଭଳି ଯାଜପୁରର ମା’ ବିରଜାଙ୍କ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୪ଟି ପର୍ଯ୍ୟାୟରେ ଆରମ୍ଭ ହୋଇଛି । ଏଥିରେ ମନ୍ଦିର ପରିସର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ବିରଜା ହାଟ ସ୍ଥାପନ, ବ୍ରହ୍ମକୁଣ୍ଡର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ବ୍ୟାଖ୍ୟାନ କେନ୍ଦ୍ର, ଧର୍ମଶାଳା, ହାତୀ ପୋଖରୀ ପୁନରୁଦ୍ଧାର ଏବଂ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବା ପାଇଁ କାର୍ଯ୍ୟ ଅନ୍ତର୍ଭୁକ୍ତ ଅଛି । ଏହି କାମରେ ଆଉ କଣ ଯୋଡ଼ା ଯାଇପାରିବ ଏବଂ ସୌନ୍ଦର୍ଯ୍ୟକରଣକୁ ନେଇ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଭୁ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱରେ ଅବହେଳିତ ଅବସ୍ଥାରେ ଥିବା ମନ୍ଦିରର ଉନ୍ନତିକରଣ, ଟ୍ରାଫିକ ସମସ୍ୟା, ମନ୍ଦିର ଚତୁଃପାର୍ଶ୍ୱର ରାସ୍ତା ଉନ୍ନତିକରଣ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏକାମ୍ର କ୍ଷେତ୍ର ହେଉଛି ଭାରତ ବର୍ଷର ଏକ ପ୍ରାଚୀନ ଶୈବ ପୀଠ। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ଛୋଟ ବଡ ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଆଲୋଚନା କରି ଏ ସବୁ ମନ୍ଦିର ଗୁଡିକର ଉନ୍ନତିକରଣ କରାଗଲେ, ଏକାମ୍ର କ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ବଜାୟ ରହିବ ବୋଲି ସେ କହିଥିଲେ।
ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପର୍ଯ୍ୟଟନ ବିଭାଗର କମିଶନର ବଲୱନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।