ଭୁବନେଶ୍ୱର: କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନାକାରୀଙ୍କ ପ୍ରଥମ ଇଙ୍ଗିତ ବା ଶବ୍ଦକୁ ନାଁ କୁହନ୍ତୁ । ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ । ଅଧିକାରୀ ପାଇଁ ସ୍ୱର ଉଠାଇବା ଅପରାଧ ନୁହେଁ । ଯୌନ ଶୋଷଣ ବିରୁଦ୍ଧରେ ସରକାର ପ୍ରତିବଦ୍ଧ ଅଛନ୍ତି । ନ୍ୟାୟ ନିଶ୍ଚିତ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩ ସମ୍ପର୍କରେ ଲୋକ ସେବା ଭବନରେ ବୁଧବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନର ସମସ୍ତ ପୁରୁଷ ଏବଂ ମହିଳା କର୍ମଚାରୀମାନେ ଏଥିରେ ଯୋଗ ଦେଇଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହା ଆୟୋଜିତ ହୋଇଥିବାବେଳେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗ ଦେଇ କର୍ମକ୍ଷେତ୍ରରେ ନାରୀ ଓ ପୁରୁଷଙ୍କ ମଧ୍ୟରେ ତାରତମ୍ୟ ନ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହିତ ଯୌନ ଶୋଷଣ ବିରୁଦ୍ଧରେ ଚୁପ ନ ରହି ସ୍ୱର ଉତ୍ତୋଳନ କରିବାକୁ ସମସ୍ତ ଯୁବପୀଢ଼ିଙ୍କୁ ଆହ୍ୱାନ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏହି କର୍ମଶାଳା ସମସ୍ତ କାର୍ଯ୍ୟାଳୟରେ ହେବା ଉଚିତ । ଯେତେ ସଚେତନ ହେବା କର୍ମକ୍ଷେତ୍ରରେ ନାରୀମାନଙ୍କର ସୁରକ୍ଷା ସେତେ ସୁନିଶ୍ଚିତ ହେବ । ଏହି ପ୍ରସଙ୍ଗକୁ ସମସ୍ତଙ୍କ ସହିତ ଚର୍ଚ୍ଚା ଆଲୋଚନା କରନ୍ତୁ । କର୍ମକ୍ଷେତ୍ରରେ ମହିଳା-ପୁରୁଷଙ୍କ ମଧ୍ୟରେ ତାରତମ୍ୟ ରଖନ୍ତୁ ନାହିଁ। କାହା ପ୍ରତି ପାତର ଅନ୍ତର କରନ୍ତୁ ନାହିଁ । ଯୌନ ଶୋଷଣକାରୀଙ୍କ ପ୍ରଥମ ଶବ୍ଦ ବା ଇଙ୍ଗିତକୁ ‘ନାଁ’ କହିବା ଶିଖନ୍ତୁ ଏବଂ ଅଭିଯୋଗ କରନ୍ତୁ । ଅଧିକାର ପାଇଁ ସ୍ୱର ଉଠାଇବା ଅପରାଧ ନୁହେଁ । ଅପରାଧକୁ ଚୁପଚାପ ସହିବା ଅପରାଧ ଅଟେ । ଏବେ ସଠିକ ସମୟ ଅଛି ଏବଂ ସରକାରଙ୍କ ପ୍ରତିବଦ୍ଧତା ଅଛି । ତେଣୁ ସ୍ୱର ଉତ୍ତୋଳନ କଲେ ନ୍ୟାୟ ନିଶ୍ଚିତ ମିଳିବ । ତେଣୁ ଝିଅମାନେ ନିଜ ପାଇଁ ସ୍ୱର ଉଠାଇ ନିଜର ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।