ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ଅସାଧାରଣ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି l ରାଜଭବନରେ ନ୍ୟୁ ଅଭିଷେକ ହଲ୍ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ବିଜେତା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା, ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବିଜେତା ଏବଂ ୨୦୨୪ ମସିହା ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ରାଜ୍ୟର କୃତୀ ପ୍ରତିଭା ତଥା ସେମାନଙ୍କ ଗର୍ବିତ ପିତାମାତାଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଛନ୍ତି ।
ସମାବେଶକୁ ସମ୍ବୋଧନ କରି ରାଜ୍ୟପାଳ କହିଛନ୍ତି, “ଏହା କେବଳ ଏକ ସମ୍ବର୍ଦ୍ଧନା ଉତ୍ସବ ନୁହେଁ, ଏହା କଠିନ ପରିଶ୍ରମ, ଉତ୍କର୍ଷତା, ଶୃଙ୍ଖଳା, ସୃଜନଶୀଳତା ଏବଂ ଜାତୀୟ ଗର୍ବ ଭଳି ମୂଲ୍ୟବୋଧର ଉତ୍ସବ” । ସମସ୍ତ ବିଜେତାଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ପଦ୍ମଶ୍ରୀ ବିଜେତାମାନଙ୍କୁ ସେମାନଙ୍କର ଜୀବନବ୍ୟାପୀ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଏହା ରାଜ୍ୟ ପାଇଁ ଅପାର ଗର୍ବ ଆଣିଛି ବୋଲି କହିଛନ୍ତି । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାମାନଙ୍କ ଅବଦାନ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରି ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ । ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଉତ୍କର୍ଷତା ହାସଲ କରିଥିବା କ୍ରୀଡ଼ାବିତଙ୍କ ସଫଳତା ଓଡିଶାକୁ ବିଶ୍ୱ କ୍ରୀଡା ମାନଚିତ୍ରରେ ସ୍ଥାନିତ କରିଛି । ଓଡିଶାରୁ ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ପରୀକ୍ଷା- ୨୦୨୪ରେ କୃତିତ୍ୱ ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ସବୁବେଳେ ସଚ୍ଚୋଟତା ଓ ନମ୍ରତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।
ବିଭିନ୍ନ ବର୍ଗର କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷ ସେମାନଙ୍କର ପ୍ରେରଣାଦାୟକ ଅଭିଜ୍ଞତା ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି, ରାଜ୍ୟପାଳଙ୍କ କମିଶନର- ତଥା- ଶାସନ ସଚିବ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ ।