ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ପରବର୍ତ୍ତୀ ଉପରାଷ୍ଟ୍ରପତି ପାଇଁ ସମ୍ଭାବ୍ୟ ଚେହେରାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ଗତ ଦୁଇ ଦିନ ମଧ୍ୟରେ ଏପରି ଅନେକ ସମୀକରଣ ସୃଷ୍ଟି ହୋଇଛି, ଯାହା ଫଳରେ ପରବର୍ତ୍ତୀ ଉପରାଷ୍ଟ୍ରପତି ବିହାରରୁ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ସମସ୍ତ ରାଜନୈତିକ ବୟାନବାଜି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୁଧବାର ଦିଲ୍ଲୀରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଏବଂ ଜେଡିୟୁର ରାଜ୍ୟସଭା ସାଂସଦ ରାମ ନାଥ ଠାକୁରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।
ରାମନାଥ ଠାକୁର ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ପୁଅ। ଜେପି ନଡ୍ଡାଙ୍କ ସହ ତାଙ୍କର ସାକ୍ଷାତର ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜନୀତି ଦୃଷ୍ଟିକୋଣରୁ ବିବେଚନା କରାଯାଉଛି। ସୂତ୍ର ଅନୁଯାୟୀ, ରାମନାଥ ଠାକୁରଙ୍କୁ ମଧ୍ୟ ଉପରାଷ୍ଟ୍ରପତି ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ବୋଲି କୁହାଯାଉଛି। ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।
କରପୂରୀ ଠାକୁରଙ୍କ ପରି ବଳିଷ୍ଠ ବ୍ୟକ୍ତିତ୍ଵ ଯୋଗୁଁ ବିହାର ସମେତ ସମଗ୍ର ଦେଶରେ ରାମନାଥ ଠାକୁରଙ୍କର ଏକ ସ୍ଵତନ୍ତ୍ର ପରିଚୟ ଅଛି। ରାମନାଥ ଠାକୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟତର ବୋଲି କୁହାଯାଏ। ଗତ ବର୍ଷ କେନ୍ଦ୍ର ସରକାର ତାଙ୍କ ପିତା କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଥିଲେ।
ଜଗଦୀପ ଧନଖଡ଼ଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିଥିଲେ। ଉପରାଷ୍ଟ୍ରପତି ପଦ ପାଇଁ ସମ୍ଭାବ୍ୟ ଚେହେରା ମଧ୍ୟରେ ତାଙ୍କ ନାମ ମଧ୍ୟ ସର୍ବାଗ୍ରେ ଅଛି। ଏପ୍ରିଲ ୨୦୧୪ରେ ଜେଡିୟୁ ତାଙ୍କୁ ବିହାରରୁ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ କରିଥିଲା। ଏହା ପରେ ସେ ପ୍ରଥମ ଥର ପାଇଁ ୨୦୧୮ ଅଗଷ୍ଟ ୯ରେ ଏବଂ ତା 'ପରେ ସେପ୍ଟେମ୍ବର ୨୦୨୦ରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଥିଲେ।