ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ୩ ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାତ୍ରା ଇତି ମଧ୍ୟରେ ୩ ବର୍ଷ ପୂରିଛି । ୨୦୨୨ ଜୁଲାଇ ୨୫ ତାରିଖରେ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଓଡ଼ିଶାର ଦ୍ରୌପଦୀ ମୁର୍ମୁ । ତେବେ ସେ ଶପଥ ଗ୍ରହଣ କରିବା ବେଳେ ଦେଶବାସୀଙ୍କୁ ଯେଉଁ ଉଦବୋଧନ ଦେଇଥିଲେ ତାହା ସମସ୍ତଙ୍କ ପାଇଁ ବେଶ୍ ପ୍ରେରଣାଦାୟୀ ଥିଲା । ସେ କହିଥିଲେ, “ଏକ ଅଜଣା ଗାଁର ସାଧାରଣ ଆଦିବାସୀ ଘରର ଝିଅ ଆଜି ଦେଶର ସବୋର୍ଚ୍ଚ ପଦରେ ବସିଛି । ଏହା ପ୍ରମାଣିତ କରୁଛି ଯେ, ଗରିବ ଲୋକ ସ୍ୱପ୍ନ ଦେଖିପାରିବେ ଏହାକୁ ପୂରା ବି କରିପାରିବେ” ।
ଜୀବନରେ ଅନେକ ଘାତ ପ୍ରତିଘାତ ଦେଇ ଦେଶର ପ୍ରଥମ ନାଗରିକ ହେବା ସହ, ମର୍ଯ୍ୟାଦାଜନକ ରାଷ୍ଟ୍ରପତି ଆସନରେ ବସିଛନ୍ତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଆସନ ଅଳକୃତ କରିବା ପୂର୍ବରୁ ୨୦୧୫ ରୁ ୨୦୨୧ ଯାଏଁ ଝାଡଖଣ୍ଡର ରାଜ୍ୟପାଳ ଥିଲେ ମହାମହିମ । ଦ୍ବିତୀୟ ମହିଳା ଭାବେ ସେ ରାଜ୍ୟପାଳ ଆସନରେ ବସିଥିଲେ । ନିଜର ଅତି ସାଧାରଣ ଜୀବନ ଶୈଳୀ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ରାଷ୍ଟ୍ରପତି ମୁର୍ମୁ ବର୍ଷକର ରାଷ୍ଟ୍ରପତି କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁଡିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି । ଇତିମଧ୍ୟରେ ସେ ପିଲୁଲ୍ସ ପ୍ରସିଡେଣ୍ଟ ଭାବେ ମଧ୍ୟ ଆଖ୍ୟା ପାଇଛନ୍ତି ।
୨୫ ଜୁଲାଇ ୨୦୨୨ରେ ଭାରତର ରାଷ୍ଟ୍ରପତି ଭାବରେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପୂର୍ବରୁ ସେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ରୂପରେ କାମ କରିଥିଲେ । ୧୯୫୮ ମସିହା ଜୁନ ୨୦ରେ ମୟୂରଭଞ୍ଜ ରାଇରଙ୍ଗପୁରର ଉପରବେଡ଼ା ଗ୍ରାମରେ ଏକ ଶାନ୍ତାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ଭାବେ ତାଙ୍କ ଗରିମାମୟ ୩ ବର୍ଷ ପୂର୍ତ୍ତ ଅବସରରେ ନୂଆଦିଲ୍ଲୀରେ ଆଦର୍ଶ ତ୍ରିପାଠୀଙ୍କ ଦ୍ୱାରା ଲିଖିତ ଇଂରାଜି ପୁସ୍ତକ “ଦ ପବ୍ଲିକ୍ ପ୍ରେସିଡେଣ୍ଟ୍” ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପିପୁଲ୍ସ ଲିଡର୍, ଯାହା ସେ ନିଜକୁ ପ୍ରମାଣିତ କରିସାରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଟୋକୋଲରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କୁ ଭେଟନ୍ତି । ପ୍ରଜାତନ୍ତ୍ରରେ ସେ ହେଉଛନ୍ତି ଲୋକଙ୍କ ନେତା ।