ପାଟଣା: ବିହାର ସରକାର ସାମ୍ବାଦିକମାନଙ୍କ ପାଇଁ ବଡ଼ ଖବର ଆଣିଛନ୍ତି। ଅବସର ପରେ ସାମ୍ବାଦିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନୀତିଶ କୁମାରଙ୍କ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ସାମ୍ବାଦିକମାନଙ୍କୁ ୬ ହଜାର ଟଙ୍କା ପେନ୍ସନ୍ ବଦଳରେ ୧୫,୦୦୦ ଟଙ୍କା କରିଛନ୍ତି। ସେହିପରି ସାମ୍ବାଦିକଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀଙ୍କୁ ପେନ୍ସନ ୩ ହଜାର ବଦଳରେ ୧୦ ହଜାର ଟଙ୍କା ଦିଆଯିବାକୁ ସରକାର ବ୍ୟବସ୍ଥା କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଟୁଇଟ୍ କରିଛନ୍ତି। ସେ କହିଛନ୍ତି, ମୁଁ ଖୁସିର ସହିତ ଜଣାଇବାକୁ ଚାହୁଁଛି ଯେ ବିହାର ସରକାର ଯୋଗ୍ୟ ସାମ୍ବାଦିକଙ୍କୁ ମାସିକ ୬୦୦୦ ଟଙ୍କା ପରିବର୍ତ୍ତେ ୧୫,୦୦୦ ଟଙ୍କା ପେନସନ ପ୍ରଦାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବିହାର ସାମ୍ବଦିକ ସମ୍ମାନ ପେନସନ ଯୋଜନା ଅଧୀନରେ ପେନସନ ପାଉଥିବା ସାମ୍ବାଦିକଙ୍କ ମୃତ୍ୟୁ ହେଲେ, ସେମାନଙ୍କ ନିର୍ଭରଶୀଳ ସ୍ୱାମୀ/ସ୍ତ୍ରୀଙ୍କୁ ଜୀବନବ୍ୟାପୀ ମାସିକ ୩,୦୦୦ ଟଙ୍କା ପରିବର୍ତ୍ତେ ୧୦,୦୦୦ ଟଙ୍କା ପେନସନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୀତିଶ କହିଛନ୍ତି, ଗଣତନ୍ତ୍ରରେ ସାମ୍ବାଦିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ସାମାଜିକ ବିକାଶରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ ଆରମ୍ଭରୁ ସାମ୍ବାଦିକମାନଙ୍କ ସୁବିଧାର ଯତ୍ନ ନେଇଆସୁଛି ଯାହା ଦ୍ୱାରା ସେମାନେ ନିରପେକ୍ଷ ଭାବରେ ସାମ୍ବାଦିକତା କରିପାରିବେ ଏବଂ ଅବସର ପରେ ସମ୍ମାନଜନକ ଭାବରେ ଜୀବନଯାପନ କରିପାରିବେ।
ଅଧିକ ପଢ଼ନ୍ତୁ: କାଉଣ୍ଟର-ଇଣ୍ଟେଲିଜେନ୍ସ କମାଣ୍ଡରକୁ ନିପାତ କଲା ଇସ୍ରାଏଲ