ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମିଳିଲା ବଡ ଆଶ୍ୱସ୍ତି । ୨୦୨୨ରେ ବିନାୟକ ଦାମୋଦର ସାଭରକରଙ୍କ ବିରୋଧରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟିପ୍ପଣୀ କରିଥିଲେ । ଯାହାକୁ ନେଇ ତାଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ଅପରାଧିକ ମାମଲା ରୁଜୁ ହୋଇଥିଲା । ତେବେ ରାହୁଲଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଦୀପାଙ୍କର ଦତ୍ତା ଓ ବିଚାରପତି ଅଗଷ୍ଟିନ ଜଜ ମସୀହଙ୍କ ପୀଠ ମାମଲାରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ଚାରି ସପ୍ତାହ ପରେ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀ ଗରିମା ପ୍ରସାଦ ଅଦାଲତଙ୍କୁ ଅବଗତ କରାଇଛନ୍ତି ଯେ, ରାଜ୍ୟ ସରକାର ଯାଚିକା ଉପରେ ଜବାବ ଦାଖଲ କରିଛନ୍ତି । ରାଜ୍ୟ ସରକାର ରାହୁଲ ଗାନ୍ଧୀଙ୍କ ଯାଚିକାକୁ ବିରୋଧ କରିବା ସହ ଏହାକୁ ଅଗ୍ରାହ୍ୟ କରିବାକୁ ଅନୁରୋଧ କରିଛନ୍ତି । ଆବେଦନକାରୀଙ୍କ ଓକିଲ ନୃପେନ୍ଦ୍ର ପାଣ୍ଡେ କହିଛନ୍ତି ରାହୁଲ ଯେଉଁ କାମ କରିଛନ୍ତିି, ତାହା ସମାଜରେ ଘୃଣା ଓ ଶତ୍ରୁତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କରିଛନ୍ତି ।
ଏହା ପୂର୍ବରୁ ଉଚ୍ଚତମ ନ୍ୟାୟାଳୟ ଏପ୍ରିଲ ୨୫ରେ ସାଭରକରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀକୁ ଦାୟିତ୍ୱହୀନ ଦର୍ଶାଇଥିଲେ । କୋର୍ଟ କହିଥିଲେ, ଆମକୁ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ଉପହାସ କରିବା ଉଚିତ୍ ନୁହେଁ । ହେଲେ ପୀଠ ରାହୁଲଙ୍କ ଟିପ୍ପଣୀ ପାଇଁ ଉତ୍ତର ପ୍ରଦେଶରେ ତାଙ୍କ ବିରୋଧରେ ରୁଜୁ ଅପରାଧିକ ମାମଲା ଉପରେ ରୋକ୍ ଲଗାଇଛନ୍ତି । ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏମିତି ଟିପ୍ପଣୀ ପାଇଁ ସମନ ଜାରି କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।