ମାଞ୍ଚେଷ୍ଟର: ଇଂଲଣ୍ଡ ସିରିଜରେ ଟିମ୍ ଇଣ୍ଡିଆ ପାଇଁ ମୁସ୍କିଲ କମିବାର ନାଁ ଧରୁନାହିଁ। ଆକାଶ ଦୀପ, ନୀତିଶ ରେଡ୍ଡୀ, ଅର୍ଶଦୀପ ସିଂହ, ଏହି ସମସ୍ତ ଖେଳାଳି ଆହତ ହୋଇସାରିଛନ୍ତି। ଏବେ ମାଞ୍ଚେଷ୍ଟରରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ସମୟରେ ଋଷଭ ପନ୍ତଙ୍କ ରୂପେ ଟିମ୍ ଇଣ୍ଡିଆକୁ ଆଉ ଏକ ବଡ଼ ଝଟକା ଲାଗିଛି। ଚତୁର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବ୍ୟାଟିଂ କରୁଥିବା ସମୟରେ ଆହତ ହୋଇଛନ୍ତି ପନ୍ତ। ଆହତ ହେବା ପରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡ଼ିଛି।
ଭାରତର ଇନିଂସର ୬୮ତମ ଓଭରର ଚତୁର୍ଥ ବଲ୍ରେ ରିଷଭ ପନ୍ତ ଆହତ ହୋଇଥିଲେ। ଓଭରର ଚତୁର୍ଥ ବଲ୍ରେ ରିଭର୍ସ ସ୍ୱିପ୍ ଖେଳିବାକୁ ରିଷଭ ଚାହୁଁଥିଲେ। କିନ୍ତୁ ବଲ୍କୁ ଠିକ୍ ଭାବରେ ସଂଯୋଗ କରିପାରି ନଥିଲେ। ବ୍ୟାଟ୍ରୁ ବଲ୍ ମିସ୍ ହେବା ପରେ ଏହା ସିଧା ତାଙ୍କ ଗୋଡ଼ ଉପରେ ଚାଲିଯାଇଥିଲା। ଏହା ପରେ, ପନ୍ତ ବହୁତ ସମୟ ପର୍ଯ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ଆଘାତ ପରେ ତୁରନ୍ତ ଫିଜିଓ ପଡ଼ିଆ ଭିତରକୁ ଆସି ତାଙ୍କ ସହିତ ବହୁତ ସମୟ କଥା ହୋଇଥିଲେ।
ପନ୍ତ ଏତେ ଯନ୍ତ୍ରଣା ଅନୁଭବ କରୁଥିଲେ ଯେ ସେ ଠିକ୍ ଭାବରେ ଚାଲିପାରୁ ନଥିଲେ। ତାଙ୍କୁ ଆମ୍ବୁଲାନ୍ସରେ ପଡ଼ିଆ ବାହାରକୁ ନିଆଯାଇଥିଲା। ପନ୍ତଙ୍କ ଆଘାତ କେତେ ଗମ୍ଭୀର ଏବଂ ସେ ଏହି ମ୍ୟାଚ୍ରେ ଅଂଶଗ୍ରହଣ କରିବେ କି ନାହିଁ ସେ ବିଷୟରେ ଆନୁଷ୍ଠାନିକ ଭାବରେ କିଛି କୁହାଯାଇ ନାହିଁ। କିନ୍ତୁ ଏହିପରି ତାଙ୍କର ଆଘାତ ସ୍ପଷ୍ଟ ଭାବରେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା। ରିଟାୟର୍ଡ ହଟ୍ ହେବା ପୂର୍ବରୁ ପନ୍ତ ୪୮ ବଲ୍ରେ ୩୭ ରନ୍ କରିଥିଲେ।
ଋଷଭ ପନ୍ତ ଏହି ସିରିଜରେ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ରନ ସ୍କୋରରଙ୍କ ମଧ୍ୟରୁ ଜଣେ। ସେ ଲିଡ୍ସରେ ଖେଳାଯାଇଥିବା ପ୍ରଥମ ମ୍ୟାଚର ଉଭୟ ଇନିଂସରେ ଶତକ ମାରିଥିଲେ। ଏହା ପରେ ଏହି ସିରିଜରେ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଏପରି ପରିସ୍ଥିତିରେ ଟିମ୍ ଇଣ୍ଡିଆ ଏବଂ ତାଙ୍କ ପ୍ରଶଂସକମାନେ ଚାହିଁବେ ପନ୍ତ ଯଥାଶୀଘ୍ର ସୁସ୍ଥ ହୋଇ ପଡ଼ିଆକୁ ଫେରିବେ।