ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ବୁଧବାରଠୁ ଖେଳାଯିବ ଚତୁର୍ଥ ଟେଷ୍ଟ । ଏହାର ଗୋଟିଏ ଦିନ ପୂର୍ବରୁ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ କହିଛନ୍ତି ମାଞ୍ଚେଷ୍ଟର ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ କୌଣସି ପ୍ରକାରର ଆକ୍ରମଣାତ୍ମକର ଜବାବ ତାଙ୍କ ଭାଷାରେ ହିଁ ଦିଆଯିବ । ଷ୍ଟୋକ୍ସ ଏହାର ସଙ୍କେତ ଦେଇଛନ୍ତି ଯେ, କଡା ଟକ୍କର ଚାଲିଥିବା ଏହି ସିରିଜରେ ବାକ ଯୁଦ୍ଧ ଥମିବାର ସମ୍ଭାବନା ନାହିଁ । ଇଂଲଣ୍ଡ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ତେବେ ଅଦ୍ୟାବଧି ସିରିଜରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଓ ମହମ୍ମଦ ସିରାଜ ପ୍ରତିପକ୍ଷ ଖେଳାଳି ଜ୍ୟାକ କ୍ରାଉଲି, ବେନ ଡକେଟ, ଷ୍ଟୋକ୍ସ ଓ ହ୍ୟାରି ବ୍ରୁକଙ୍କ ପରି ଖେଳାଳି ସହ ଯୁକ୍ତିତର୍କ କରିବାରେ ପଛକୁ ହଟି ନାହାନ୍ତି ।
ଷ୍ଟୋକ୍ସ ମ୍ୟାଚର ପୂର୍ବ ସନ୍ଧ୍ୟାରେ କହିଛନ୍ତି ଯେ, ମୋତେ ଲାଗୁନି ଉଭୟ ଦଳ ପଡିଆରେ ପରସ୍ପର ଉପରେ ସ୍ଲେଜିଂ କରିବେ । କିମ୍ବା ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ସେମିତି ଭାବନା ନ ଥିବ । ମୋ ହିସାବରେ ଟେଷ୍ଟରେ ସର୍ବଦା ଏମିତି ଏକ ମୁହୂର୍ତ୍ତ ଆସିଥାଏ ଯେବେ ମାହୋଲ କିଛି ସମୟ ସରଗରମ ରହିଥାଏ । ଏହା ଏକ ବଡ ସିରିଜ ଏବଂ ଦୁଇ ଦଳ ଉପରେ ଭଲ ପ୍ରଦର୍ଶନ କରିବାର ଚାପ ରହିଛି । ଏହା କୌଣସି ବିଶେଷ ସ୍ଥିତିରେ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ ସ୍ୱାଭାବିକ ପ୍ରକ୍ରିୟା ହୋଇପାରେ । ମାତ୍ର ଷ୍ଟୋକ୍ସ ଏହାର ସଙ୍କେତ ଦେଇଛନ୍ତି ଯେ, ପ୍ରତିଦ୍ୱନ୍ଦ୍ୱୀ ଦଳର ଆକ୍ରମଣାତ୍ମକକୁ ହାଲୁକାରେ ନିଆଯିବ ନାହିଁ ।
ଇଂଲଣ୍ଡ ଅଧିନାୟକ ଏହା ମଧ୍ୟ କହିଛନ୍ତି, ଏହା ସେମିତି କିଛି ନୁହେଁ ଯିଏ ଜାଣିଶୁଣି ପଡିଆକୁ ଆସି ଏମିତି କାମ କରିବାକୁ ଉଦ୍ୟମ କରିବ । ଏମିତି ହେଲେ ପଡିଆରେ ଖେଳ ଉପରୁ ଆମର ଧ୍ୟାନ ହଟିଯିବ । କିନ୍ତୁ ଆମେ କୌଣସି ପ୍ରକାରେ ପଛଘୁଞ୍ଚା ଦେବୁ ନାହିଁ । କୌଣସି ବିରୋଧୀ ଦଳକୁ ଆମେ ଆମ ବିରୋଧରେ ଆକ୍ରମଣାତ୍ମକ ହେବାକୁ ଦେବୁ ନାହିଁ । ମୋତେ ଲାଗୁଛି ଅଧିକାଂଶ ଦଳ ହିଁ ଏମିତି ରଣନୀତି ସହ ଖେଳିଥାନ୍ତି ।