ଭୁବନେଶ୍ବର : ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ଚିକିତ୍ସାଧୀନ ବଳଙ୍ଗା ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା ସୂଚନା ରହିଛି । ତାଙ୍କର ଅମ୍ଳଜାନସ୍ତର ସ୍ଥିର ରହିଛି ।ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଘଟିବା ପରେ ଅକ୍ସିଜେନ ସପୋର୍ଟ ସିଷ୍ଟମକୁ କାଢ଼ି ନିଆଯାଇଛି । ପୀଡ଼ିତା କିଛି ଖାଦ୍ୟ ଖାଇବା ସହ ଅଳ୍ପ କଥା ହୋଇଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ରହିଛି ।
ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗାରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତିନି ଜଣ ଦୁର୍ବୁତ୍ତ କିରୋସିନି ଢାଳି ପୋଡିଦେଇଥିବାବେଳେ, ପୀଡିତା ଜଣକ ଅଧିକ ଉନ୍ନତ ଚିକିତ୍ସା ପାଇଁ ଏବେ ଦିଲ୍ଲୀରେ ଅଛନ୍ତି । ତେବେ ପୀଡ଼ିତାଙ୍କ ୭୫ ପ୍ରତିଶତରୁ ଊର୍ଦ୍ଧ୍ବ ଶରୀରର ଅଂଶ ପୋଡ଼ି ଯାଇଥିବାରୁ ଏବେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ।
ସୂଚନାଯୋଗ୍ୟ ଗତ ଶନିବାର ଦିନ ଝିଅଟି ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଉଥିବା ସମୟରେ ଭାର୍ଗବୀ ନଦୀ ନିକଟରେ ତିନି ଜଣ ଅଜଣା ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ ଏବଂ ନିଆଁ ଲିଭାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ଏହା ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ଅଧିକ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଥିଲା । ମାତ୍ର ସେ ଯୁବକମାନେ କିଏ ଥିଲେ, କାହିଁକି ନାବାଳିକାଙ୍କୁ ଆକ୍ରମଣ କଲେ ଏନେଇ ଏପର୍ଯ୍ୟନ୍ତ କିଛି ବି ତଥ୍ୟ ପୋଲିସର ହସ୍ତଗତ ହୋଇନାହିଁ । ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।