ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ବର୍ଷା ସହ ଘଡ଼ଘଡ଼ି ଓ ବିଜ୍ରାଘାତ ହୋଇଛି । ବଜ୍ରାଘାତରେ ବିଭିନ୍ନ ସ୍ଥାନରେ ୫ ଜଣଙ୍କର ଅକାଳ ବିୟୋଗ ହୋଇଥିବା ଜଣାପଡ଼ିଛି । ଢେଙ୍କାନାଳ, ପୁରୀ, କେନ୍ଦୁଝର ଏବଂ କଟକରେ ଏହି ଅଘଟଣ ଘଟିଛି ।
ଢେଙ୍କାନାଳ ସଦର ଥାନା ମହୁଲପଡ଼ାରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ପଥର ଖଣିରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିବା ଜଣାପଡ଼ିଛି । ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କଅଁଳପଡ଼ା ଗାଁରେ ବିଲରେ କାମ କରୁଥିବା ବେଳେ ଜଣେ ଯୁବକ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍ ହଳଦିଆପଦାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ କଟକ ଚୌଦ୍ୱାର ବ୍ରହ୍ମପୁର ପଞ୍ଚାୟତ କାଞ୍ଜିଆ ଗାଁରେ ଜଣେ ମହିଳା ମୃତବରଣ କରିଛନ୍ତି ।