ଗଞ୍ଜାମ: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦୟାନିଧି ପୁର ପଞ୍ଚାୟତ ବଡ଼ିଆଓସ୍ତା ଗ୍ରାମରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ବୃଦ୍ଧ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ନିଜେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମଦାହ କରିଛନ୍ତି। ପ୍ରଥମେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ମୃତ ବୃଦ୍ଧ ଜଣକ ହେଉଛନ୍ତି ୬୨ ବର୍ଷୀୟ ପୀତବାସ ଆଚାର୍ଯ୍ୟ । ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ପାଟପୁର ପୋଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ତେବେ ପୋଲିସ ବୃଦ୍ଧଙ୍କ ଘରୁ ଏକ ସୁଇସାଇଡ ନୋଟ ଜବତ କରିଛି। ସେଥିରେ ମୁଁ ଆଉ ବଞ୍ଚିବାକୁ ଚାହୁଁ ନାହିଁ। ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ବୋଉକୁ ଭଲରେ ରଖିବୁ ବୋଲି ନିଜ ପୁଅ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି ।
ଘଟଣାକୁ ନେଇ ପରିବାର ଲୋକେ କହିଛନ୍ତି, ମୃତକ ଉଚ୍ଚ ରକ୍ତଚାପ,ମଧୁମେହ ରୋଗରେ ପୀଡ଼ିତ ହୋଇ ନିୟମିତ ବ୍ୟବଧାନରେ ଚିକିତ୍ସିତ ହେଉଥିଲେ। ଗତ କିଛିଦିନ ହେଲା କୌଣସି କାରଣକୁ ନେଇ ସଦାସର୍ବଦା ଅନ୍ୟମନସ୍କ ରହୁଥିଲେ। କାହାରି ସହ ପ୍ରାୟ କଥାବାର୍ତ୍ତା କରୁନଥିଲେ। ଚୁପ ଚାପ ଗୋଟିଏ ଜାଗାରେ ବସି ରହୁଥିଲେ ପରିବାର ଲୋକଙ୍କୁ କିଛି ବି କହୁନଥିଲେ। ତାଙ୍କୁ ପଚାରିଲେ ମଧ୍ୟ ସେ କୌଣସି ଉତ୍ତର ଦେଉନଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଦୋକାନରୁ ଏକ ଥଣ୍ଡା ପାନୀୟ ବୋତଲ ଆଣିବାକୁ କହିଥିଲେ। ସେ ଦୋକାନକୁ ଚାଲିଯିବା ପରେ ଘର ବାରି ପଟକୁ ଯାଇ ନିଜ ଦେହରେ ନିଆଁ ଲଗାଇଦେଇଥିଲେ।