ଭୁବନେଶ୍ୱର: ଆସନ୍ତା ଖରିଫ ଋତୁ ପାଇଁ ଚାଷୀ ପଞ୍ଜୀକରଣକୁ ରାଜ୍ୟ ସରକାର ସରଳୀକରଣ କରିଛନ୍ତି । ଏଥିପାଇଁ ଜୁଲାଇ ୧୯ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ । ପଞ୍ଜୀକରଣରେ ଇକେୱାଇସି ଲାଗୁ କରାଯାଇଛି । ନକଲି ଚାଷୀଙ୍କୁ ଧରିବା ପାଇଁ ଇକେୱାଇସି କରାଯିବ । ନଭେମ୍ବର ମାସରୁ ଧାନ ସଂଗ୍ରହ ଆରମ୍ଭ ହେବ । ଆଧାରକାର୍ଡ଼ ସହ ଆଖି ଓ ଟିପ ଚିହ୍ନ ଦେଇ ଇକେୱାଇସି କରିବେ ଚାଷୀ । ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରିବେ ସରକାର ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସରକାରଙ୍କ ଡିଜିଟାଲ କୃଷି ଅଧୀନରେ କୃଷକ ପଞ୍ଜୀକରଣ ଜାରି ରହିଛି । ସେପ୍ଟେମ୍ବର ୯ ସୁଦ୍ଧା ଚାଷୀଙ୍କ ତଥ୍ୟ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ସେପ୍ଟେମ୍ବର ୩୦ ସୁଦ୍ଧା ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରକାଶ ପାଇବ। ସେହିପରି ନଭେମ୍ବର ପ୍ରଥମ ସପ୍ତାହରୁ ସରକାର ଧାନ କିଣିବେ । ସମସ୍ତ ବର୍ଗର ଚାଷୀ, ପିଏମ କିଷାନ ହିତାଧିକାରୀ ଏଥିରେ ପଞ୍ଜିକୃତ ହେବା ବାଧ୍ୟତାମୂଳକ ରହିଛି । ପଞ୍ଜୀକୃତ ହୋଇ ନ ଥିବା ଚାଷୀ ପିଏମ୍ କିଷାନ ଯୋଜନାରୁ ବଞ୍ଚିତ ହୋଇପାରନ୍ତି ବୋଲି ରାଜ୍ୟ କୃଷି ବିଭାଗ କହିଛି । ତେଣୁ କୌଣସି ଚାଷୀ ପଞ୍ଜୀକରଣରୁ ଯେପରି ବାଦ୍ ନ ପଡ଼ନ୍ତି ତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀ ପଞ୍ଜୀକରଣ କରିବା ପାଇଁ ଆଧାରକାର୍ଡ, ଆଧାରରେ ଥିବା ମୋବାଇଲ ନମ୍ବର, ଏଥିସହ ନିଜ ନାଁରେ ଥିବା ଜମି ପଟ୍ଟା ରହିବା ଆବଶ୍ୟକ ।