ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ବିନିକା ଓ ଡୁଙ୍ଗୁରିପାଲି ବ୍ଳକକୁ ସଂଯୋଗ କରୁଥିବା ଏକ ପୁରୁଣା ପୋଲ ଭୁଶୁଡ଼ିପଡ଼ିଛି । ଫଳରେ ଦୁଇ ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲୋକମାନେ ବିକଳ୍ପ ରାସ୍ତାଦେଇ ଯିବା ଆସିବା କରୁଛନ୍ତି । ଏହି ପୋଲଟି ବିଜୁ ବାବୁଙ୍କ ଅମଳରେ ନିର୍ମାଣ ହୋଇଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ବିନିକା ଓ ଡୁଙ୍ଗୁରିପାଲି ବ୍ଳକକୁ ସଂଯୋଗ କରୁଥିବା ଗୁରହାଣ୍ଡି ଯୋର ଉପରେ ନିର୍ମିତ ପୋଲଟି ଦୁର୍ବଳ ହୋଇଥିଲା । ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ହଠାତ୍ ପୋଲଟି ଭୁଶୁଡ଼ି ପଡ଼ିଛି । ଫଳରେ ଗମନାଗମନ ଠପ୍ ହୋଇଯାଇଛି। ପ୍ରାୟ ୧୫ଟି ପଞ୍ଚାୟତର ଲୋକ ଏହି ପୋଲ ଉପରେ ନିର୍ଭର କରନ୍ତି । ବିଜୁ ପଟ୍ଟନାୟକଙ୍କ ଅମଳରେ ପୋଲ ନିର୍ମାଣ କରାଯାଇଥିଲା। ଏହି ରାସ୍ତା ଏବେ ରାଜ୍ୟ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଅଛି । ଏହା ନିକଟେର ଆଉ ଏକ ନୂତନ ପୋଲ ନିର୍ମାଣାଧୀନ ରହିଛି । ଯାହାର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହୋଇଛି ।