ନୂଆଦିଲ୍ଲୀ: ଭାରତ ହେଉ କି ଅନ୍ୟ କୌଣସି କ୍ରିକେଟ୍ ଦଳ ହେଉ ସେଠାରେ କୋଚ୍ ଓ ଅଧିନାୟକଙ୍କ ମଧ୍ୟରେ ମତଭେଦ ହେବା କୌଣସି ନୂଆ କଥା ନୁହେଁ । ସୌରଭ ଗାଙ୍ଗୁଲି-ଗ୍ରେଗ ଚାପେଲଙ୍କଠୁ ନେଇ ବିରାଟ କୋହଲି ଓ ଅନିଲ କୁମ୍ବଲେଙ୍କ ମଧ୍ୟରେ ବି ଅନେକ ମତଭେଦ ଘଟଣା ସାମ୍ନାକୁ ଆସି ସାରିଛି । ଏବେ ଏହି ତାଲିକାରେ ଯୋଡି ହୋଇ ଯାଇଛି ରୋହିତ ଶର୍ମା ଓ ଗୌତମ ଗମ୍ଭୀରଙ୍କ ନାଁ । ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଅଧିନାୟକ ରୋହିତ ଶର୍ମା ଓ କୋଚ୍ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ବଢି ଯାଇଛି ।
ନ୍ୟୁଜ୨୪ ଅନୁସାରେ, ଭାରତୀୟ ଦଳର ମୁଖ୍ୟ କୋଚ୍ ଗମ୍ଭୀର ଯେଉଁ ନିଷ୍ପତ୍ତି ନେଉଛନ୍ତି, ସେଥିରେ ଅଧିନାୟକ ରୋହିତ ଶର୍ମା ଆଦୌ ଖୁସି ନାହାନ୍ତି । ମାମଲା ଏତିକିରେ ଅଟକି ନାହିଁ, କାରଣ ରୋହିତ ଓ ଗମ୍ଭୀରଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ମଧ୍ୟ ହୋଇଥିବା କୁହାଯାଉଛି । କିଛି ଦିନ ପୂର୍ବେ ହିଁ ଦୁହିଁଙ୍କ ମଧ୍ୟରେ ମତଭେଦ ଓ କଥା କଟାକଟି ହୋଇଛି । ପ୍ରଭାବରେ ଦଳରେ ଗୋଷ୍ଠୀ ବିଭାଜନ ମଧ୍ୟ ଦେଖା ଦେଲାଣି । ଅନେକ ବରିଷ୍ଠ ଖେଳାଳି ଅଧିନାୟକ ରୋହିତ ଶର୍ମାଙ୍କ ସମର୍ଥନରେ ରହିଛନ୍ତି ।
ଲଢେଇର କାରଣ କଣ ?
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଦଳରେ ରୋହିତ ଶର୍ମାଙ୍କ କଥା ଚାଲୁନାହିଁ । ରୋହିତ ନିଜ ହିସାବରେ ଦଳକୁ ଆଗକୁ ନେବାକୁ ଚାହାନ୍ତି । ସୂତ୍ର ମୁତାବକ ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ, ସେ ଯାହା ନିଷ୍ପତ୍ତି ନେବେ ତାକୁ ପୁରା ଟିମ୍ ମାନିବାକୁ ପଡିବ । ଭାରତ ନିକଟରେ ଶ୍ରୀଲଙ୍କା ମାଟିରେ ଦିନିକିଆ ସିରିଜ୍ ହାରିଥିଲା ଏବଂ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦଳ ୦-୨ରେ ପଛୁଆ ରହିଛି । ଦଳର ପ୍ରଦର୍ଶନକୁ ନେଇ ମଧ୍ୟ କୋଚ୍ ଓ ଅଧିନାୟକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି ।
ବିଶେଷ କରି ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନରେ କୋଚ୍ ଗମ୍ଭୀର ଖୁସି ନାହାନ୍ତି । ରୋହିତ ଶର୍ମା ଓ ବିରାଟ କୋହଲି ମଧ୍ୟ ଗମ୍ଭୀର କୋଚ୍ ହେବା ପରଠୁ ରନ କରିବାରେ ବିଫଳ ହୋଇଛନ୍ତି । ଏହା ମଧ୍ୟ ଖବର ରହିଛି ଯେ, କିଛି ଖେଳାଳି ରୋହିତଙ୍କ ପକ୍ଷରେ ଥିବା ବେଳେ କିଛି ଗମ୍ଭୀରଙ୍କ ପକ୍ଷରେ । ଅନେକ ଖେଳାଳି କେବଳ ନିଜ ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ।