ନାଗପୁର, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଶୁକ୍ରବାର ଭାରତ ୬ ୱିକେଟ୍ରେ ବିଜୟୀ ହୋଇଛି । ବର୍ଷାବାଧିତ ମ୍ୟାଚକୁ ଉଭୟ ପକ୍ଷରୁ ୮-୮ ଓଭର କରି ଦିଆଯାଇଥିଲା । ନାଗପୁରସ୍ଥିତ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅତିଥି ଟିମ୍ ପ୍ରଥମେ ବ୍ୟାଟିଂ କରି ଭାରତକୁ ୯୧ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ଲକ୍ଷ୍ୟକୁ ଭାରତ ୭.୨ ଓଭରରେ ୪ଟି ୱିକେଟ ହରାଇ ହାସଲ କରିଥିଲା । ଭାରତର ବିଜୟରେ ଅଧିନାୟକ ରୋହିତ ଶର୍ମା ହିରୋ ସାଜିଥିଲେ ।
ରୋହିତ ଶର୍ମା ଓ କେଏଲ ରାହୁଲ ଭାରତର ପାଳି ଆରମ୍ଭ କରିଥିଲେ । କେଏଲ ରାହୁଲ ୬ଟି ବଲ୍କୁ ସାମ୍ନା କରି ଗୋଟିଏ ଛକା ସହିତ ୧୦ ରନ୍ କରି ଆଦାମ ଜାମ୍ପାଙ୍କ ବଲରେ ଆଉଟ୍ ହୋଇ ପାଭଲିଅନ ଫେରିଯାଇଥିଲେ । ରୋହିତ ଶର୍ମା ଧୈର୍ଯ୍ୟର ସହିତ ଖେଳି ଦଳର ନେତୃତ୍ୱ ନେଇଥିଲେ । ସେ ୨୦ଟି ବଲ୍ ଖେଳି ଅପରାଜିତ ରହିଥିଲେ । ୪ଟି ଚୌକା ଓ ସମାନ ପରିମାଣର ଛକା ମାରି ବ୍ୟକ୍ତିଗତ ଭାବେ ୪୬ ରନ୍ ସଂଗ୍ରହ କରିଥିଲେ । ବିରାଟ କୋହଲି ୧୧ ରନ୍ କରିଥିବା ବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୯ ରନ୍ କରି ଆଉଟ୍ ହୋଇଥିଲେ । ଦିନେଶ କାର୍ତ୍ତି ୨ଟି ବଲ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ସହିତ ଅପରାଜିତ ୧୦ ରନ୍ କରିଥିଲେ ।
ପ୍ରଥମ ପାଳିରେ କଂଗାରୁ ଟିମ୍ ର ମ୍ୟାଥୁ ୱେଡ ବିସ୍ପୋରକ ବ୍ୟାଟିଂ କରିଥିଲେ । ସେ ୨୦ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ୪୩ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ଆରୋନ ଫିଞ୍ଚଙ୍କ ବ୍ୟାଟରୁ ଅଷ୍ଟ୍ରେଲିଆ ୩୧ ରନ୍ ଅମଳ କରିଥିଲା ।