ଭାରତର ଟି-୨୦ ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଯାଦବ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏକ ପୋଷ୍ଟ ଜରିଆରେ ସୂର୍ଯ୍ୟକୁମାର ସମସ୍ତ ଭଲପାଇବା ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି । ତେବେ ଶ୍ରୀଲଙ୍କା ଗସ୍ତ ପାଇଁ ରୋହିତ ଶର୍ମାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ଭାରତର ଟି-୨୦ ଅଧିନାୟକ କରାଯାଇଛି।
ରୋହିତ ଟି-୨୦ରୁ ଅବସର ନେବା ପରେ ସୂର୍ଯ୍ୟକୁମାର ଭାରତର ଟି-୨୦ ଅଧିନାୟକ ହେବା ଦୌଡରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଛରେ ପକାଇଥିଲେ ସୂର୍ଯ୍ୟକୁମାର। ଏହାସହ ଶୁଭମାନ ଗିଲଙ୍କୁ ଦଳର ଉପ-ଅଧିନାୟକ ରୂପେ ଚୟନ କରାଯାଇଥିଲା। ଦିନିକିଆ ଏବଂ ଟି-୨୦ ଦଳର ଉପ-ଅଧିନାୟକ ଭାବରେ ଶୁଭମାନ ଗିଲଙ୍କୁ ଚୟନ କରାଯାଇଛି।
ତେବେ ସୂର୍ଯ୍ୟକୁମାର ଇନଷ୍ଟାଗ୍ରାମରେ ଲେଖିଛନ୍ତି, ସମସ୍ତଙ୍କ ଭଲପାଇବା, ସମର୍ଥନ ଏବଂ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ବିଗତ କିଛି ସପ୍ତାହ ସ୍ୱପ୍ନ ଠାରୁ କମ ନୁହେଁ ବୋଲି ସୂର୍ଯ୍ୟକୁମାର ଲେଖିଥିଲେ । ଦେଶ ପାଇଁ ଖେଳିବା ହେଉଛି ସବୁଠାରୁ ବିଶେଷ ଅନୁଭବ ଯାହା ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ଏହି ନୂତନ ଭୂମିକା ସହିତ ଅନେକ ଦାୟିତ୍ୱ, ଉତ୍ସାହ ମଧ୍ୟ ରହିବ ।
ସୂର୍ଯ୍ୟକୁମାରଙ୍କ ପ୍ରତିନିଧିତ୍ଵରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୪-୧ ରେ ଜିତିଥିଲା। ତାଙ୍କ ପ୍ରତିନିଧିତ୍ଵରେ ଭାରତ ମଧ୍ୟ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜକୁ ୧-୧ ରେ ସମାନ କରିଥିଲା। ତେବେ ଟି-୨୦ କ୍ରିକେଟରେ ଭାରତର ନୂଆ ଅଧିନାୟକ ଭାବେ ସୂର୍ଯ୍ୟକୁମାରଙ୍କୁ ଚୟନ କରାଯିବ ପରେ ଭାରତୀୟ ଦଳ ଯେଉଁ ରଣନୀତି ପ୍ରସ୍ତୁତ କରିବା ତାହା ଶ୍ରୀଲଙ୍କା ବିପକ୍ଷ ଟି-୨୦ ରେ ଜଣା ପଡିବ ।