ନୂଆଦିଲ୍ଲୀ: ୨୦୨୩ରେ ଶେଷ ଟି-୨୦ ଅନ୍ତର୍ଜାତୀୟ ଓ ୨୦୨୪ ଆରମ୍ଭରେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିବା ଶ୍ରେୟସ ଆୟରଙ୍କୁ ଲଗାତାର ଏହି ଦୁଇ ଫର୍ମାଟରେ ଅଣଦେଖା କରାଯାଉଥିଲା । ମାତ୍ର ଏବେ ଲାଗୁଛି ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଭାରତୀୟ ଦିନିକିଆ ଦଳର ଅଭିନ୍ନ ଅଙ୍ଗ ଥିବା ଶ୍ରେୟସ ଏବେ ଟି-୨୦ ଏବଂ ଟେଷ୍ଟ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି । ନିକଟରେ ଇଂଲଣ୍ଡ ଗସ୍ତରେ ଏହି ବ୍ୟାଟରଙ୍କୁ ଅଣଦେଖା କରାଯାଇଥିଲା । କିନ୍ତୁ ଭାରତୀୟ ଦଳକୁ ମଧ୍ୟକ୍ରମରେ ତାଙ୍କ ଅନୁପସ୍ଥିତିର ଅନୁଭୂତ ହୋଇଥିଲା । କରୁଣ ନାୟରଙ୍କୁ ନମ୍ବର-୩, ୫ ଓ ୬ରେ ବ୍ୟାଟିଂ ପାଇଁ ସୁଯୋଗ ମିଳିଲା । ହେଲେ ୮ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ନାୟର ଏହାର ଫାଇଦା ଉଠାଇ ପାରିଲେ ନାହିଁ ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଆୟରଙ୍କୁ ଭାରତୀୟ ଟି-୨୦ ଏବଂ ଟେଷ୍ଟ ଦଳରେ ସାମିଲ୍ କରାଯିବାର ସମ୍ଭାବନା ରହିଛି । ୟୁଏଇରେ ଆସନ୍ତାମାସରେ ଖେଳା ଯିବାକୁ ଏସିଆ କପ୍ ୨୦୨୫ର ଚୟନ ସମୟରେ ଚୟନକର୍ତ୍ତା ତାଙ୍କ ନାଁ ଉପରେ ଗୁରୁତର ସହ ବିଚାର କରି ପାରନ୍ତି । ଏସିଆ କପ୍ ସେପ୍ଟେମ୍ବର ୯ରୁ ଟି-୨୦ ଫର୍ମାଟରେ ଖେଳାଯିବ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଅକ୍ଟୋବର ୨ରୁ ଦୁଇ ଟେଷ୍ଟ ମ୍ୟାଚର ସିରିଜ୍ ଖେଳାଯିବ ।
ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ଆମକୁ ସବୁ ଫର୍ମାଟରେ ମଧ୍ୟକ୍ରମରେ ଆୟରଙ୍କ ପରି ଅନୁଭବର ଆବଶ୍ୟକତା ରହିଛି । କାରଣ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ଆମେ ଏହାର ପରିଣାମ ଭୋଗିଲୁ । ଚୟନକର୍ତ୍ତା ଜାଣିଛନ୍ତି ଯେ, ଆୟର ସ୍ପିନ ବୋଲରଙ୍କ ବିପକ୍ଷରେ ଜଣେ ଦମଦାର ଖେଳାଳି । ଘରୋଇ ସିରିଜରେ ସେ ଦଳ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇ ପାରନ୍ତି । ଭାରତ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ।