ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ବାଂଲାଦେଶ ବିପକ୍ଷରେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇଛନ୍ତି । ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜିଠୁ ଆରମ୍ଭ ହୋଇଛି । ଏହା ମଧ୍ୟରେ ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ମାଥ୍ୟୁସଙ୍କୁ ଶୁଭକାମନା ଜଣାଇଛନ୍ତି । ଗଲରେ ଖେଳା ଯାଉଥିବା ଏହି ମ୍ୟାଚ୍ ତାଙ୍କ ଟେଷ୍ଟ କ୍ୟାରିୟରର ୧୧୯ତମ ଏବଂ ଅନ୍ତିମ ମୁକାବିଲା । ଆଞ୍ଜେଲୋ ମାଥ୍ୟୁସ ଗତ ମାସରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସରୁ ଘୋଷଣା କରିଥିଲେ ।
ଭାରତର ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ରୋହିତ ୧୯ ବର୍ଷରୁ କମ କ୍ରିକେଟ୍ ମ୍ୟାଚ୍ ସମୟର କଥାକୁ ମନେ ପକାଇ ଶ୍ରୀଲଙ୍କାର ଏହି ଅଲରାଉଣ୍ଡରକୁ ଶୁଭକାମନା ଜଣାଇଛନ୍ତି । ରୋହିତ ଶର୍ମା ଭିଡିଓ ବାର୍ତ୍ତାରେ କହିଛନ୍ତି, ହେ ଏଞ୍ଜି ଚମତ୍କାର କ୍ୟାରିୟର ପାଇଁ ଶୁଭକାମନା । ଆସନ୍ତାକାଲି ତୁମର ଶେଷ ଟେଷ୍ଟ ମ୍ୟାଚ୍ ହେବ । ମୁଁ ତୁମକୁ ଏବଂ ତୁମ ଦଳକୁ ଶୁଭକାମନା ଜଣାଉଛି । ଗତ କିଛି ବର୍ଷରେ ଆମେ ୧୯ ବର୍ଷରୁ କମ କ୍ରିକେଟ୍ ମ୍ୟାଚଠୁ ନେଇ ଏ ପର୍ଯ୍ୟନ୍ତ ବହୁତ ଭଲ ଲଢେଇ କରିଛନ୍ତି । ଆପଣ ନିଜ ଦେଶ ପାଇଁ ଏକ ପ୍ରକୃତ ସେବକ ଥିଲେ ଏବଂ ମୋତେ ପୂରା ବିଶ୍ୱାସ ଯେ, ଘରେ ଆପଣଙ୍କ ପ୍ରତ୍ୟେକ ସଦସ୍ୟ ଦେଶ ପାଇଁ ଆପଣଙ୍କ ଯୋଗଦାନକୁ ପ୍ରଶଂସା କରୁଥିବେ । ତୁମେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ସବୁ ଖେଳାଳିଙ୍କ କ୍ଷେତ୍ରରେ ସମ୍ଭବ ନ ଥାଏ ।
ଶ୍ରୀଲଙ୍କାର ତାରକା ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ୨୦୦୯ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ତେବେଠୁ ସେ ଶ୍ରୀଲଙ୍କା କ୍ରିକେଟ୍ ଦଳର ଏକ ଅଭିନ୍ନ ଅଙ୍ଗ ଥିଲେ । ସେ ୩୪ ଟେଷ୍ଟରେ ଦଳର ନେତୃତ୍ୱ ନେଇଛନ୍ତି । ସେ ୧୧୮ ଟେଷ୍ଟ ମ୍ୟାଚରେ ୪୪.୬୨ ହାରରେ ୮୧୬୭ ରନ କରିଛନ୍ତି । ଏଥିରେ ୧୬ ଶତକ ସାମିଲ । ସେ ଶ୍ରୀଲଙ୍କା ପକ୍ଷରୁ ତୃତୀୟ ସର୍ବାଧିକ ଟେଷ୍ଟ ରନ ହାସଲକାରୀ ବ୍ୟାଟର ।