ନୂଆଦିଲ୍ଲୀ: ଆଜି ଆଇପିଏଲ୍ ୨୦୨୫ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ତେବେ ମ୍ୟାଚ୍ ବେଳେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେଲେ ଏହାର ପ୍ରଭାବ ପିଚ୍ ଏବଂ ପଡିଆ ଉପରେ ପଡିବ ।
ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ ଅଙ୍କ ତାଲିକାରେ ଶୀର୍ଷରେ ରହିଥିଲା । ହେଲେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଦଳ ଆରସିବିଠୁ ଶୋଚନୀୟ ପରାଜୟ ଭୋଗିଥିଲା । ଫଳରେ ଦଳକୁ ଆଜି ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ଖେଳିବାକୁ ପଡିବ । ମୁମ୍ବାଇ ପଏଣ୍ଟ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲା । ଦଳ ଏଲିମିନେଟର ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ହରାଇ କ୍ୱାଲିଫାୟର-୨ରେ ପହଞ୍ଚିଛି ।
ଏଲିମିନେଟର ମ୍ୟାଚ୍ ପରି ଯଦି ଆଜି ମୁମ୍ବାଇକୁ ବିଜୟ ଦରକାର ତେବେ ଟପ୍ ଅର୍ଡର ବ୍ୟାଟରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଜୋନି ବେୟାରଷ୍ଟୋ ଏଲିମିନେଟର ମ୍ୟାଚରେ ଭଲ ପ୍ରଦର୍ଶନ କରିବା ମୁମ୍ବାଇକୁ ବେଶ ଆଶ୍ୱସ୍ତ କରିଛି । ଅନ୍ୟପଟେ ପ୍ରଥମ ଥର ଟାଇଟଲ୍ ଜିତିବାକୁ ହେଲେ ପଞ୍ଜାବକୁ ଆଜିର ମ୍ୟାଚରେ ଅସାଧାରଣ ପ୍ରଦର୍ଶନ କରିବାକୁ ପଡିବ ।
କେମିତି ରହିବ ଅହମ୍ମଦାବାଦର ପାଣିପାଗ
ଅପରାହ୍ନରେ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ରହିପାରେ । ସନ୍ଧ୍ୟା ୬ଟାରେ ପାରଦ ଖସିବ ହେଲେ ଏହି ସମୟରେ ବର୍ଷା ହେବାର ସମ୍ଭାବନା ରହିଛି । ଟସ୍ ୭ଟାରେ ପଡିବ । ଏହି ସମୟରେ ବି ବର୍ଷା ହେବାର ସମ୍ଭାବନା ରହିଛି । ଆଦ୍ରତା ୫୫ ପ୍ରତିଶତ ଏବଂ ଘଣ୍ଟା ପ୍ରତି ୧୮ କିମି ବେଗରେ ପବନ ବହିବ । ଯଦି ମ୍ୟାଚ୍ ପୂର୍ବରୁ ବର୍ଷା ହୁଏ ତେବେ ଏହାର ପ୍ରଭାବ ପିଚ୍ ଉପରେ ପଡିପାରେ ।
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ସିଜିନରେ ବଡ ସ୍କୋର ଦେଖିବାକୁ ମିଳିଛି । ୧୪ ଇନିଂସରୁ ୯ ଥର ସ୍କୋର ୨୦୦ରୁ ଅଧିକ ରହିଛି । ଆଇପିଏଲ୍ ୨୦୨୫ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସବୁଠୁ ବଡ ସ୍କୋର ପଞ୍ଜାବ କିଙ୍ଗ୍ସ କରିଛି । ଦଳ ୨୪୩ ରନର ବିଶାଳ ସ୍କୋର ଛିଡା କରିଥିଲା ।
ଯଦି ବର୍ଷା ହୁଏ ତେବେ ପିଚ ସାମାନ୍ୟ ଧିମା ରହିବ । ଆଉଟ ଫିଲ୍ଡ ଦ୍ରୁତ ରହିବ ନାହିଁ । ଏହାର ଫାଇଦା ବୋଲର ଉଠାଇ ପାରନ୍ତି । ଯଦି ହାଲୁକା ବର୍ଷା ହୁଏ ତେବେ ଏହା ବ୍ୟାଟରଙ୍କୁ ଫାଇଦା ଦେଇପାରେ । ଏମିତି ସ୍ଥିତିରେ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି ।