ନୂଆଦିଲ୍ଲୀ: ଦିନିକିଆକ୍ରିକେଟରୁ ସନ୍ନ୍ୟାସ ନେଲେ ଅଷ୍ଟ୍ରେଲିଆର ବରିଷ୍ଠ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ । ସୋମବାର ମ୍ୟାକ୍ସୱେଲ ନିଜର ଅବସରର ସୂଚନା ଦେଇଛନ୍ତି । ଶେଷ ଥର ସେ ଅଷ୍ଟ୍ରେଲିଆ ପାଇଁ ଦିନିକିଆ କ୍ରିକେଟ୍ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଖେଳିଥିଲେ । ଚାମ୍ପିଅନ୍ସ ଟ୍ରଫି ପରେ ସେ ଆଇପିଏଲ୍ ୨୦୨୫ ଖେଳିଥିଲେ । କିନ୍ତୁ ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ।
୨୦୧୨ରେ ଅଷ୍ଟ୍ରେଲିଆ ଦଳ ପାଇଁ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ଗ୍ଲେନ ମ୍ୟାକ୍ସୱେଲ ଦୁଇ ଥର ବିଶ୍ୱ ଚାମ୍ପିଅନ ଦଳର ସଦସ୍ୟ । ସେ ୧୪୯ଟି ଦିନିକିଆରେ ପାଖାପାଖି ୪ ହଜାର ରନ କରିଛନ୍ତି । ବୋଲିଂରେ ସେ ୭୯ ବ୍ୟାଟରଙ୍କ ଶିକାର କରିଛନ୍ତି । ସେ କଙ୍ଗାରୁ ଦଳର ବଡ ମୟାଚ୍ ବିଜେତା ଖେଳାଳି ଥିଲେ । ୨୦୨୩ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ତାଙ୍କର ଦ୍ୱିଶତକ ଆଜି ବି ସମସ୍ତଙ୍କୁ ମନେ ଅଛି । କାରଣ ସେ ସଙ୍କଟ ସ୍ଥିତିରେ ଦଳକୁ ଜିତାଇଥିଲେ ।
ଗ୍ଲେନ ମ୍ୟାକ୍ସୱେଲ ନିଜର ଅବସର ସୂଚନା ସର୍ବପ୍ରଥମେ ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲିଙ୍କୁ ଦେଇଥିଲେ । ଫେବୃଆରୀ-ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ସମୟରେ ୩୬ ବର୍ଷୀୟ ମ୍ୟାକ୍ସୱେଲ ଜଣାଇ ଦେଇଥିଲେ ଯେ, ସେ ୨୦୨୭ ଦିନିକିଆ ବିଶ୍ୱକପ୍ ଖେଳି ପାରିବେ ନାହିଁ । ମୋତେ ଲାଗୁଛି ମୋ ସ୍ଥାନରେ ଆଉ କାହାକୁ ସୁଯୋଗ ଦିଆଯାଉ । ଆଶା କରୁଛି ଦଳକୁ ଭଲ ଖେଳାଳି ମିଳେ ଯିଏ ଏହି ଭୂମିକାକୁ ଠିକରେ ନିଭାଇବେ ।
ମ୍ୟାକ୍ସୱେଲ ଦିନିକିଆ କ୍ରିକେଟରେ ୩ ହଜାର ୯୯୦ ରନ କରିଛନ୍ତି । ଏଥିରେ ୪ ଶତକ ଓ ୨୩ ଅର୍ଦ୍ଧଶତକ ସାମିଲ । ୨୦୧ ରନ ତାଙ୍କର ସର୍ବୋଚ୍ଚ ସ୍କୋର । ତାଙ୍କର ଏହି ଇନିଂସ ଦିନିକିଆ କ୍ରିକେଟ୍ ଇତିହାସରେ ସର୍ବକାଳୀନ ମହାନ ଇନିଂସ ମଧ୍ୟରୁ ଗୋଟିଏ ।