ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ କେନ ୱିଲିୟମସନ ନ୍ୟୁଜିଲାଣ୍ଡ କ୍ରିକେଟର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ କରିବାକୁ ପୁଣି ଥରେ ଅସ୍ୱୀକାର କରିଛନ୍ତି । ଫଳରେ ତାଙ୍କର ଆସନ୍ତା ମାସରେ ଜିମ୍ବାୱେ ବିରୋଧରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ନେଇ ଆଶଙ୍କା ରହିଛି । ୱିଲିୟମସନ ଗତ ବର୍ଷ ମଧ୍ୟ କେନ୍ଦ୍ରୀୟ ଅନୁବନ୍ଧକୁ ସ୍ୱୀକାର କରି ନ ଥିଲେ, ଯଦ୍ୱାରା ସେ ଦୁନିଆର ଅନ୍ୟ ଟି-୨୦ ଲିଗ୍ ଖେଳିବା ପାଇଁ ସ୍ୱାଧୀନ ରହି ପାରିବେ । ଏହା ବାଦ୍ ସେ ଗତ ବର୍ଷ ଏକ ଅଣ ଆନୁଷ୍ଠାନିକ ଅନୁବନ୍ଧରେ ହସ୍ତାକ୍ଷର କରିଥିଲେ ଏବଂ ୨୦୨୪ରେ ନ୍ୟୁଜିଲାଣ୍ଡ ଖେଳିଥିବା ୧୩ଟି ଟେଷ୍ଟରୁ ସେ ୯ଟି ଖେଳି ୧୦୦୦ରୁ ଅଧିକ ରନ କରିଥିଲେ ।
ନ୍ୟୁଜିିଲାଣ୍ଡ କ୍ରିକେଟ୍ ମଙ୍ଗଳବାର ଯେଉଁ ୨୦ ଜଣ ଅନୁବନ୍ଧିତ ଖେଳାଳିଙ୍କ ତାଲିକା ଜାରି କରିଛି ସେଥିରେ କେନ ୱିଲିୟମସନଙ୍କ ନାଁ ନାହିଁ । ତାଙ୍କ ବ୍ୟତୀତ ଡେଭନ କନେଓ, ଫିଲ ଏଲନ, ଟିମ ସେଇଫର୍ଟ ଓ ଲୋକି ଫର୍ଗ୍ୟୁସନ ମଧ୍ୟ ଏହି ତାଲିକାରେ ନାହାନ୍ତି । ଏହି ସବୁ ଖେଳାଳି ବିଦେଶରେ ଟି-୨୦ ଲିଗ୍ ଖେଳୁଛନ୍ତି । ସମ୍ଭାବନା ରହିଛି ୱିଲିୟମସନ ପୁଣି ଥରେ ଅଣ ଆନୁଷ୍ଠାନିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ହସ୍ତାକ୍ଷର କରି ପାରନ୍ତି ।
ନ୍ୟୁଜିଲାଣ୍ଡର କେନ୍ଦ୍ରୀୟ ଅନୁବନ୍ଧରେ ସାମିଲ ଖେଳାଳିଙ୍କ ତାଲିକା
ଉହମ୍ମଦ ଅବାସ, ଆଦି ଅଶୋକ, ଟମ ବ୍ଲଣ୍ଡେଲ, ମାଇକେଲ୍ ବ୍ରେସୱେଲ, ମାର୍କ ଚାପମ୍ୟାନ, ଜ୍ୟାକବ ଡଫି, ଜ୍ୟାକ ଫାଉଲକେସ, ମିଚ ହେ, କାଇଲ ଜେମିସନ, ଟମ ଲାଥମ, ଡାରିଲ ମିଚେଲ, ହେନରି ନିକୋଲାସ, ୱିଲିୟମସନ ଓ ରୁରକି, ଗ୍ଲେନ ଫିଲିପ୍ସ, ରଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ବେନ ସିର୍ସ, ନାଥ ସ୍ମଥ ଓ ୱିଲ ୟଙ୍ଗ ।