ନୂଆଦିଲ୍ଲୀ: ଆଇପିଏଲରେ ଅରେଞ୍ଜ କ୍ୟାପ ସେହି ବ୍ୟାଟରଙ୍କ ଦିଆଯାଏ ଯିଏ ସିଜିନରେ ସବୁଠୁ ଅଧିକ ରନ କରିଥିବ । ସେହିପରି ପର୍ପଲ କ୍ୟାପ୍ ଅଧିକ ୱିକେଟ୍ ନେଇଥିବା ବୋଲରଙ୍କୁ ଦିଆଯାଏ । ସିଜିନ ଆରମ୍ଭରୁ ଦଳଗୁଡିକର ନଜର ଟ୍ରଫି ଜିତିବା ସହ ଏହି କ୍ୟାପ୍ ଜିତିବା ପାଇଁ ପ୍ରତିଯୋଗିତା କରିଥାନ୍ତି । ପ୍ରତିଟି ଦଳ ଚାହାନ୍ତି ତାର ଖେଳାଳି ଅରେଞ୍ଜ ଓ ପର୍ପଲ କ୍ୟାପ ଦୌଡରେ ରୁହନ୍ତୁ, ଯଦ୍ୱାରା ଯାହାର ଫାଇଦା ଦଳକୁ ମିଳିବ । ତେବେ ଆପଣ କଣ ଜାଣିଛନ୍ତି କି ଯେବେ ଯେବେ ଗୋଟିଏ ଦଳର ଖେଳାଳି ସିଜିନରେ ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ଜିତିଛନ୍ତି, ସେହି ଦଳକୁ ନିରାଶ ଛଡା ଆଉ କିଛି ମିଳିନି ।
ଆଇପିଏଲ୍ ଇତିହାସରେ ଏମିତି ପାଞ୍ଚ ଥର ଘଟିଛି, ଯେବେ କୌଣସି ଦଳର ଖେଳାଳି ଗୋଟିଏ ସିଜିନରେ ଅରେଞ୍ଜ ଓ ପର୍ପଲ କ୍ୟାପ ଜିତିଛନ୍ତି, ସେହି ଦଳ ଚାମ୍ପିଅନ ହୋଇନି । ଏହି ସବୁ ଦଳକୁ ଫାଇନାଲ କିମ୍ବା ପ୍ଲେ ଅଫରେ ପରାଜୟ ମିଳିଛି ।
ବର୍ତ୍ତମାନ ଏମିତି ଗୁଜରାଟ ସହ ହୋଇଛି । ଆଇପିଏଲ୍ ୨୦୨୫ରେ ଦଳର ସାଇ ସୁଦର୍ଶନ ସର୍ବାଧିକ ୭୫୯ ରନ କରି ଅରେଞ୍ଜ କ୍ୟାପ ଜିତିଥିବା ବେଳେ ପ୍ରସିଦ୍ଧ କୃଷ୍ଣା ୨୫ ୱିକେଟ୍ ନେଇ ପର୍ପଲ କ୍ୟାଚ୍ ହାତେଇଛନ୍ତି । ଚଳିତ ଆଇପିଏଲରେ ସର୍ବାଧିକ ରନ ଓ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି ହେଉଛନ୍ତି ଗୁଜରାଟ ଟାଇଟନ୍ସର । ମାତ୍ର ଦଳ ହାତରେ ଟ୍ରଫି ନାହିଁ । ଦଳ ପ୍ଲେ ଅଫରେ ପହଞ୍ଚିବାରେ ସଫଳ ହୋଇଥିଲେ ହେଁ ଏଲିମିନେଟରରେ ମୁମ୍ବାଇ ହାତରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା ।
ଗୋଟିଏ ସିଜିନରେ ଅରେଞ୍ଜ ଓ ପର୍ପଲ କ୍ୟାପ ଜିତିଥିବା ଦଳ ଜିତି ନାହାନ୍ତି ଟ୍ରଫି
୨୦୧୩- ସିଏସକେ(ମାଇକ ହସି, ଡ୍ୱେନ ବ୍ରାଭୋ)
୨୦୧୭- ଏସଆରଏଚ(ଡେଭିଡ ୱାର୍ଣ୍ଣର, ଭୁବନେଶ୍ୱର କୁମାର)
୨୦୨୨- ଆରଆର(ଜୋସ ବଟଲର, ୟୁଜବେନ୍ଦ୍ର ଚହଲ)
୨୦୨୩- ଜିଟି(ଶୁଭମନ ଗିଲ୍, ମହମ୍ମଦ ଶାମି)
୨୦୨୫- ଜିଟି(ସାଇ ସୁଦର୍ଶନ, ପ୍ରସିଦ୍ଧ କୃଷ୍ଣା)