ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜୁନ ୨୦ରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବେଙ୍ଗାଲୁରୁରେ ଘଟିଥିବା ଦୁଃଖଦ ଦଳାଚକଟା ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ସେ କେବେ ବି ରୋଡ ଶୋ ସମର୍ଥନରେ ନାହାନ୍ତି । ଯଦି ରୋଡ୍ ଶୋ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ନାହାନ୍ତି ତେବେ ଏହା କରିବା ଉଚିତ୍ ନୁହେଁ । ତେଣୁ ଯେଉଁଠି ସଂପୂର୍ଣ୍ଣ ପ୍ରସ୍ତୁତି ନାହିଁ ସେଠି ଏମିତି ଆୟୋଜନରୁ ନିବୃତ୍ତ ରହି ଏକ ଦାୟିତ୍ୱବାନ ନାଗରିକ ହେବାକୁ ଗମ୍ଭୀର ଅପିଲ୍ କରିଛନ୍ତି ।
ଭାରତୀୟ କୋଚ୍ କହିଛନ୍ତି, ମୁଁ କେବେ ବି ଏମିତି ରୋଡ ଶୋ ସପକ୍ଷରେ ନୁହେଁ । ଆମକୁ ଦାୟିତ୍ୱବାନ ନାଗରିକ ହେବାର ଆବଶ୍ୟକତା ରହିଛି । ମୁଁ ଯେବେ ଖେଳୁଥିଲି, ଏହି କଥା ଉପରେ ମୋର ବିଶ୍ୱାସ ଥିଲା । ୨୦୦୭ ବିଶ୍ୱକପ୍ ଜିତିବା ପରେ ମୁଁ ଏହା କହିଥିଲି । ଯଦି ଆମେ ରୋଡ୍ ଶୋ କରିବାକୁ ପ୍ରସ୍ତୁତ ନ ଥିଲୁ ତେବେ ଏମିତି କରିବା ଉଚିତ୍ ନୁହେଁ । ପ୍ରତ୍ୟେକଙ୍କୁ ନିଜର ଜୀବନ ବହୁତ ଜରୁରୀ । ଆଶା କରୁଛି ଯେ, ଭବିଷ୍ୟତରେ ଏହି ଧରଣର ରୋଡ୍ ଶୋ ହେବ ନାହିଁ । ଯାହା ବି କିଛି ଘଟିଲା ତାହା ଭୁଲ୍ ଥିଲା । ମୃତକଙ୍କ ପରିଜନ ପ୍ରତି ମୋର ସହାନୁଭୂତି ରହିଛି । ଆମକୁ ଦାୟିତ୍ୱ ସଂପନ୍ନ ହେବା ଉଚିତ୍ । ଜଣେ ଖେଳାଳି ଏବଂ ଫ୍ରାଞ୍ଚାଇଜ ଭାବେ ଆମର ଦାୟିତ୍ୱ ଆମକୁ ସବୁ କିଛି ଯେମିତି ଠିକରେ ପରିଚାଳନା କରିବା ।
ସେ ଏହା ମଧ୍ୟ କହିଛନ୍ତି, ଭବିଷ୍ୟତରେ ଆମକୁ ରୋଡ ଶୋ ଯୋଜନା କରିବା ସମୟରେ ଆହୁରି ସଚେତନ ରହିବା ଉଚିତ୍ । ଏହି ଧରଣର ସମାରୋହକୁ ଆମେ ଷ୍ଟାଡିୟମ ଭିତରେ ଆୟୋଜିତ କରିବା ଉପରେ ବିଚାର କରିବା ଉଚିତ୍ । ପ୍ରଶଂସକ ଉତ୍ସାହିତ ହୋଇଥାନ୍ତି, ଭାବୁକ ହୁଅନ୍ତି, ମାତ୍ର ଜୀବନଠୁ ଅଧିକ କିଛି ମହତ୍ୱପୂର୍ଣ୍ଣ ନୁହେଁ । ଆପଣ କୌଣସି ମୂଲ୍ୟରେ ୧୧ ଜଣ ଲୋକଙ୍କ ଜୀବନ ହରାଇ ପାରିବା ନାହିଁ । ମୋ ମତରେ ରୋଡ ଶୋ ହେବା ଉଚିତ୍ ନ ଥିଲା ।