ବେଙ୍ଗାଲୁରୁ: ୧୮ ବର୍ଷ ପରେ ଟ୍ରଫି ଜିତିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ବିଜୟ ଉତ୍ସବ ବୁଧବାର ଶୋକରେ ପରିଣତ ହୋଇଛି । ହୋଇଥିବା ଭୟଙ୍କର ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ସଦସ୍ୟତମ ଖବର ଅନୁଯାୟୀ, ବେଙ୍ଗାଲୁରୁ ପୋଲିସ ବିଧାନସଭାରେ ଦଳର ସମ୍ମାନ ପାଇଁ ସମାରୋହ ପକ୍ଷରେ ନ ଥିଲା । ତେବେ ଏହାକୁ ନେଇ ସରକାର କିମ୍ବା ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ । ଅନ୍ୟପଟେ ସରକାର କହୁଛନ୍ତି କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଦଳ ଟ୍ରଫି ଜିତିବା ଖୁସିରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଚାହୁଁଥିଲା ।
ସିଏନଏନ ନ୍ୟୁଜ ୧୮ର ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ ସରକାର ଓ ରାଜ୍ୟ କ୍ରିକେଟ୍ ସଂଘ ମଧ୍ୟରେ ହୋଇଥିବା ଆଲୋଚନାରୁ ଜଣା ପଡିଛି ଯେ, ବିଧାନସଭାରେ ଆରସିବିର ବିଜୟ ଉତ୍ସବ ଜୁନ ୩ ଫାଇନାଲ୍ ପୂର୍ବରୁ ନିର୍ଦ୍ଧାରିତ ଥିଲା । ରିପୋର୍ଟ ଅନୁସାରେ, ଜୁନ ୩ରେ ରାଜ୍ୟ କ୍ରିକେଟ୍ ସଂଘ ଡିପିଏଆରକୁ ଚିଠି ଲେଖି ବିଧାନସଭା ନିକଟରେ ଆରସିବି ବିଜୟରେ ସମ୍ମାନ ସମାରୋହ ଆୟୋଜନ ପାଇଁ ଅନୁମତି ମାଗିଥିଲା । ଏହା ପରେ ଡିପିଏଆର ପୋଲିସର ମତାମତ ଜାଣିବା ପାଇଁ ଚିଠି ଲେଖିଥିଲା । ପୋଲିସ ବିଧାନସଭାରେ କାର୍ଯ୍ୟକ୍ରମ ଆୟୋଜନ ପକ୍ଷରେ ନ ଥିଲା ।
ମିଡିଆ ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବେ ରାଜ୍ୟ କ୍ରିକେଟ୍ ସଂଘ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଥିଲେ, ଆମେ କାର୍ଯ୍ୟକ୍ରମ ଆୟୋଜନ କରି ନ ଥିଲୁ । ଏହା କ୍ରିକେଟ୍ ସଂଘର ଆୟୋଜନ ଥିଲା । ଆମର ଦାୟିତ୍ୱ ସୁରକ୍ଷା ବ୍ୟବସ୍ଥା କରାଇବା । ଯେତେ ପାସ୍ ଦିଆଯାଇଥିଲା, ସେତିକି ଲୋକ ଆସିବାର ଥିଲା । ଯଦି ଅଧିକ ଲୋକ ପହଞ୍ଚିବେ ତେବେ ଆମେ କଣ କରି ପାରିବୁ । ତଦନ୍ତରୁ ଜଣା ପଡିବ ଯେ, ଏହା ପୋଲିସର ଅବହେଳା ଥିଲା ନା କ୍ରିକେଟ୍ ସଂଘର ।
କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, କ୍ରିକେଟ୍ ସଂଘ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଁଥିଲା ଏବଂ ସରକାର ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଥିଲେ । ମୁଖ୍ୟମନ୍ତ୍ରୀ ପୂର୍ବରୁ କହି ସାରିଛନ୍ତି, ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବ । ଅନ୍ୟପଟେ କର୍ଣ୍ଣାଟକ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଏହାର ଶୁଣାଣି କରିବାକୁ ଯାଉଛନ୍ତି ।