ଅହମ୍ମଦାବାଦ: ଦୀର୍ଘ ଦେଢ଼ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା କ୍ରିକ୍ରେଟ୍ ମହାକୁମ୍ଭ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୧୮ତମ ସଂସ୍କରଣର ଆଜି ହେଉଛି ଅନ୍ତିମ ଦିନ । ଗୁଜୁରାଟ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଆଇପିଏଲ୍-୨୦୨୫ରେ ବିରାମ ଲାଗିବାକୁ ଯାଉଛି । ମଙ୍ଗଳବାର ସନ୍ଧ୍ୟା ୭ ଟା ବାଜି ୩୦ ମିନିଟ ସମୟରେ ଦୁଇ ପ୍ରତିଦ୍ୱନ୍ଦୀ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ କଡ଼ା ମୁକାବିଲା ।
ଏହି ଫାଇନାଲକୁ ନେଇ ପୁରା ଦେଶର କ୍ରିକେଟ୍ ପ୍ରେମୀ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି । କାରଣ କେବେବି ଆଇପିଏଲ ଟାଇଟଲ୍ ଜିତି ନ ଥିବା ଦୁଇ ଦଳ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ସେଥିପାଇଁ ଆଜିର ଫାଇନାଲ୍ ମୁକାବିଲା ବେଶ୍ ରୋମାଞ୍ଚକପୂର୍ଣ୍ଣ ହେବାକୁ ଯାଉଛି । କହିବାକୁ ଗଲେ ଏଥର ଆଇପିଏଲ୍ ନୂଆ ବିଜେତାକୁ ଦେଖିବ ।
ରଜତ ପଟିଦାରଙ୍କ ନେତୃତ୍ୱରେ ଆରସିବି ଏବଂ ଶ୍ରେୟସ୍ ଆୟରଙ୍କ ପଞ୍ଜାବ ବାହିନୀ ମଇଦାନକୁ ଓହ୍ଲାଇବେ । ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଗତ ଥର କେକେଆର୍ ଆଇପିଏଲ୍ ଟାଇଟଲ୍ ଜିତିଥିଲା । ତେଣୁ ପଞ୍ଜାବ ଚଳିତ ଥର ଆଇପିଏଲ୍ ଜିତିବାକୁ ନେଇ ବେଶ ଦୃଢ଼ ଆଶାୟୀ ରହିଛି । ସେପଟରେ ରଜତ ପଟିଦାର ଯଦି ଆରସିବିକୁ ବିଜୟୀ କରନ୍ତି ତେବେ ତାଙ୍କ କ୍ୟାରିୟର ପାଇଁ ଏହା ବଡ଼ ସଫଳତା ହେବ ।
ଦୁଇ ଦଳ ଆଇପିଏଲରେ ବରାବର ସ୍ଥିତିରେ ରହିଛନ୍ତି । ଦୁଇ ଦଳ ୧୪ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି । ଉଭୟ ୯ଟି ଲେଖାଏଁ ମ୍ୟାଚ୍ ଜିତିଥିବାବେଳେ ୪ଟି ମ୍ୟାଚ୍ ହାରିଛନ୍ତି । ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ ପଞ୍ଜାବ କିଙ୍ଗ୍ସ ଲିଗ୍ ପର୍ଯ୍ୟାୟରେ ୧୯ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି । ସେହିପରି ରଜତ ପଟିଦାରଙ୍କ ଦଳ ୧୯ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଆରସିବିରେ ବିରାଟ କୋହଲିଙ୍କ ଭଳି ଦକ୍ଷ ଖେଳାଳୀ ରହିଛନ୍ତି । ଯେଉଁଥିପାଇଁ ଏହି ଟିମ ଉପରେ ପୂରା ଦେଶର ନଜର ରହିଛି । ଅନ୍ୟପକ୍ଷରେ ପଞ୍ଜାବରେ ଶ୍ରେୟସ ଆୟର ଭଲ ଫର୍ମରେ ଥିବାବେଳେ ଅର୍ଶଦୀପ ସିଂ ଏବଂ ଚହଲଙ୍କ ଭଳି ବୋଲର୍ ରହିଛନ୍ତି ।
ସେପଟେ ଦେଶରେ ମଧ୍ୟରେ ଏଥର ଫାଇନାଲକୁ ନେଇ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି । କିଏ ଏଥର ପ୍ରଥମ ଥର ପାଇଁ ଆଇପିଏଲ୍ ଟ୍ରଫି ହାତେଇବା ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।