ପୁରୀ: ଚଳଚଞ୍ଚଳ ରଥ ଖଳା । ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଆଗେଇ ଚାଲିଛି ରଥ କାମ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଶ୍ଵକର୍ମାମାନେ ରଥ ନିର୍ମାଣର ଆଉ ଗୋଟିଏ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଛନ୍ତି । ମହାପ୍ରଭୁଙ୍କ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ସୋପାନରେ, ତିନି ରଥର ସମସ୍ତ ଚକ ସହିତ ଅଖ ସଂଯୋଗ ହୋଇଛି। ସମସ୍ତ ୪୨ ଟି ଯାକ ଚକ ଓ ୨୧ ଅଖ ଡେରା କାର୍ଯ୍ୟ ସମ୍ପନ୍ନ ହୋଇଛି । ତାଳଧ୍ଵଜ ରଥର ୧୪ଟି ଚକ ସହ ୭ ଅଖ,ଦେବଦଳନ ରଥର ୧୨ ଚକ ସହ ୬ ଅଖ ଏବଂ ନନ୍ଦିଘୋଷ ରଥର ୧୬ ଚକ ସହ ୮ ଟି ଅଖର ସଂଯୋଗ କାର୍ଯ୍ୟ ଶେଷ ହୋଇଛି । ଏହାପରେ ଅଖରେ ମେଣ୍ଡି ଲାଗିବ । ଚକରେ ବନ୍ଧ ଲଗାଯିବ। ପାଞ୍ଚ ଦଣ୍ଡା ଉଠିବା ପରେ ଭୋଇ ସେବକ ଦ୍ଵିତୀୟ ହରିବୋଲ ଦେବେ। ସେପଟେ ତିନି ରଥର ଧ୍ୱଜାବତା ନିର୍ମାଣ, ତିନି ରଥର ବେଦ୍ଦୀ ସିଂହାସନ ଜଗତପୃଷ୍ଠ ଶ୍ରେଣୀର ଚଉପଟ କାର୍ଯ୍ୟ ଓ ପ୍ରତି ରଥର ଦୁଇ ଦୁଇଟି ଲେଖାଏଁ ପୋଲ ଗୟଳ କାର୍ଯ୍ୟ ଶେଷ ହୋଇଛି ।