ବିନିକା : ୧୨ ଘଣ୍ଟିଆ ବନ୍ଦ ଡାକରା ଦେଲେ ଚାଷୀ। ଅଦିନିଆ ବର୍ଷା କ୍ଷୟକ୍ଷତି ଏବଂ ବୀମା ଦାବିରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ଏପରିକି ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ତେବେ ଏହି ଘଟଣା ସମ୍ବଲପୁର ଜିଲ୍ଲାର ବିନିକା ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଗ୍ରାମରେ ଦେଖିବାକୁ ମିଳିଛି। ତେବେ ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ରାଜରାସ୍ତାରୁ ଉଠିବୁ ନାହିଁ ବୋଲି ଚାଷୀମାନେ କହିଛନ୍ତି।
ସୂଚନା ଅନୁସାରେ , ଚାଷୀର ସୁନାର ଫସଲ ଏହି ଲଘୁଚାପ ଏବଂ ଅଦିନିଆ ବର୍ଷା ପାଇଁ ଉଜୁଡ଼ି ଯାଇଛି। ଅମଳକୁ ଅଳ୍ପ ଦିନ ବାକି ଥିବା ବେଳେ କାଳ ସାଜିଲା ଅଦିନିଆ ବର୍ଷା। ତେବେ ଏହି ତୁହାକୁ ତୁହା ବର୍ଷା ଫଳରେ ଚାଷୀ ଅମଳ କରି ସାରିଥିବା ଧାନ ଭିଜି ଯାଇଛି। ଫଳରେ କ୍ଷେତରେ ଥିବା ସମସ୍ତ ଧାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ସମୟରେ କ୍ଷତିଗ୍ରସ୍ତ ଧାନକୁ କୌଣସି ମିଲ ନେଉନାହାନ୍ତି। ଫଳରେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିବା ପରି ଲାଗୁଚି। ତେଣୁ ଅଦିନିଆ ବର୍ଷା କ୍ଷୟକ୍ଷତି ଏବଂ ବୀମା ଦାବିରେ ଚାଷୀମାନେ ରାସ୍ତା ଅବରୋଧ କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି।