ଭଦ୍ରକ: ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ଭଦ୍ରକ-ଆନନ୍ଦପୁର ରାସ୍ତାର ରାନ୍ଦିଆ ତାରିଣୀ ମନ୍ଦିର ଛକ ନିକଟରେ ଏଭଳି ଘଟଣା ଘଟିଛି । ଏଭଳି ଦୁର୍ଘଟଣାକୁ ବିରୋଧ କରି ଗ୍ରାମବାସୀ ରାସ୍ତା ରୋକ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ଶବକୁ ଭଦ୍ରକ ମେଡିକାଲକୁ ଆଣି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସୂଚନା ଅନୁସାରେ, ମୃତକ ଅମୂଲ୍ୟ ମୁଦୁଲି ଢେଙ୍କାନାଳର ଏକ ଘରୋଇ କଂପାନିରେ ଚାକିରି କରୁଥିଲେ। ଆଜି ସେ ଛୁଟିରେ ଘରକୁ ଆସିଥିଲେ। ଭଦ୍ରକର ବନ୍ତ ଛକରୁ ଓହ୍ଲାଇବା ପରେ ତାଙ୍କ ଝିଆରୀର ସ୍କୁଟିରେ ଘରକୁ ଫେରୁଥିଲେ। ରାନ୍ଦିଆଛକ ନିକଟରେ ଏକ ହାଇୱା ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା ଫଳରେ ଅମୂଲ୍ୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଏହି ଖବର ଆସିବା ପରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ବାରଂବାର ଏଠାରେ ଦୁର୍ଘଟଣା ଘଟୁଥିବାରୁ ଲୋକମାନେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ଏହାସହ ଏଠାରେ ହମ୍ପସ୍ ନିର୍ମାଣ କରିବା ପାଇଁ ଦାବି କରିଥିଲେ । ପରେ ପୁଲିସ ସେମାନଙ୍କୁ ବୁଝା ସୁଝାା କରିବାି ପରେ ଲୋକମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ଏଇ ଘଟଣାକୁ ନେଇ ଗ୍ରାମରେ ଏକ ଶୋକାକୂଳ ବାତାବରଣ ସୃଷ୍ଟି ହୋଇଛି।