ନୂଆଦିଲ୍ଲୀ: ରାଜୀବ ଶୁଳ୍କା ଆସନ୍ତା ମାସରେ ବିସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । ସେ ଜୁଲାଇ ମାସରେ ବର୍ତ୍ତମାନ ଅଧ୍ୟକ୍ଷ ରୋଜର ବିନ୍ନିଙ୍କ ସ୍ଥାନ ନେବେ । ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟରୁ ଏହି ଖବର ପ୍ରକାଶ ପାଇଛି । ୭୦ ବର୍ଷୀୟ ରୋଜର ବିନ୍ନିଙ୍କ ବିସିସିଆଇ ଅଧ୍ୟକ୍ଷ ଭାବେ କାର୍ଯ୍ୟକାଳ ଜୁଲାଇ ୧୯ରେ ସରୁଛି ।
୬୫ ବର୍ଷୀୟ ରାଜୀବ ଶୁକ୍ଳା ଅଧ୍ୟକ୍ଷ ଭାବେ ତିନି ମାସ କାମ କରିବେ । ସେପ୍ଟେମ୍ବରରେ ଯେବେ ବିସିିସିଆଇର ବାର୍ଷିକ ସାଧାରଣ ବୈଠକ ହେବ, ତେବେ ଶୁକ୍ଳାଙ୍କ ବୟସ ୬୬ ବର୍ଷ ହୋଇଥିବ ଏବଂ ସେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିର୍ବାଚନ ଲଢି ପାରିବେ । ରୋଜର ବିନ୍ନି ୨୦୨୨ ଅକ୍ଟୋବରରେ ବିସିସିଆଇର ଅଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିଥିଲେ । ସେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଥିଲେ । ଜୁଲାଇ ୧୯ରେ ସେ ୭୦ ବର୍ଷ ବୟସରେ ପଦାର୍ପଣ କରୁଛନ୍ତି । ଜଷ୍ଟିସ ଲୋଧା କମିଟିଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ବିସିିସିଆଇର କୌଣସି ବି ପଦାଧିକାରୀଙ୍କ ବୟସ ୭୦ ବର୍ଷରୁ ଅଧିକ ହୋଇ ନ ଥିବ ଦରକାର । ତେଣୁ ଆସନ୍ତା ମାସରେ ବିସିସିଆଇକୁ ନୂଆ ଅଧ୍ୟକ୍ଷ ଚୟନ କରିବାକୁ ପଡିବ ।
ରାଜୀବ ଶୁକ୍ଳା ବର୍ତ୍ତମାନ ବିସିସିଆଇ ଉପାଧ୍ୟକ୍ଷ ଅଛନ୍ତି । ସେ ୨୦୨୦ରୁ ଏହି ପଦରେ ଅଛନ୍ତି । ପରମ୍ପରା ଅନୁଯାୟୀ, ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିର୍ବାଚନ ନ ହେବା ପର୍ଯ୍ୟନ୍ତ କାମ ଚଳା ଅଧ୍ୟକ୍ଷ ଭାବେ ସେହି ବ୍ୟକ୍ତିଙ୍କୁ ଦାୟିତ୍ୱ ଦିଆଯାଏ ଯିଏ ବିସିସିଆଇର ସବୁଠୁ ବରିଷ୍ଠ ଥିବ । ସେହି ହିସାବରେ ରାଜୀବ ଶୁକ୍ଳା ଜୁଲାଇରୁ ବିସିସିଆଇର ମଙ୍ଗ ଧରିବେ ।