ଭୁବନେଶ୍ୱର: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ ସନ୍ତୋଷ ମିଶ୍ର । ଏହି ମାମଲାର ତଦନ୍ତ ନିମନ୍ତେ ୫ ଜଣିଆ ଟିମ୍ ଗଠନ କରାଯାଇଛି । ଟିମରେ ବ୍ରହ୍ମପୁରର ଏମକେସିଜିର ୩ ଓ କଟକର ଏସସିବିରୁ୨ ଜଣ ସଦସ୍ୟ ରହିବେ । ଏହି ଟିମ୍ ସହିଦ ଲଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଯାଇ ଘଟଣାର ତଦନ୍ତ କରି ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଡିଏମଇଟି ନିର୍ଦ୍ଦେଶକ ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି ।
ଡିଏମଇଟି କହିଛନ୍ତି ଯେ ଦିଆଯାଇଥିବା ଔଷଧର ପାର୍ଶ୍ଵ ପ୍ରତିକ୍ରିୟା କିଛି ରହିଛି ନା ସ୍ୱାଭାବିକ ମୃତ୍ୟୁ ଘଟିଛି ସେ ନେଇ ତଦନ୍ତ ହେବ । ଏପିରିକି ରୋଗୀଙ୍କୁ ଦିଆଯାଇଥିବା ଔଷଧଗୁଡ଼ିକର ମାନ ମଧ୍ୟ ଯାଞ୍ଚ କରାଯିବ ।
ଏଠାରେ ସୂଚନାଯୋଗ୍ୟ, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ୱାର୍ଡରେ ଗତକାଲି ରାତିରେ ୫ଜଣ ରୋଗୀଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା । ମାତ୍ର ଅଧଘଣ୍ଟା ମଧ୍ୟରେ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ବେଡ଼ରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ମୃତ୍ୟୁ ହୋଇଛି । ଆଇସିୟୁରେ ଶୂକ୍ରା ମାଝୀ, ରୁକୁଣି ପେଣ୍ଟିଆ ଓ ଫୁଲମତି ମାଝୀଙ୍କର ମୃତ୍ୟୁ ହୋଇଥିବାବେଳେ ସାଧାରଣ ସର୍ଜରୀ ୱାର୍ଡରେ ଭଗବାନ ପରିଜା ଓ ବତୀ ଖରାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଭୁଲ ଇଞ୍ଜେକସନ୍ ଯୋଗୁଁ ମୃତ୍ୟୁ ହୋଇଥିବା ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ । ଟାଉନ ଥାନା ପୋଲିସ ସମସ୍ତ ମୃତ ଦେହକୁ ଜବତ କରିଛି ।