ଅହମ୍ମଦାବାଦ: ଶ୍ରେୟସ ଆୟରଙ୍କ ଧୂଆଁଧାର ବ୍ୟାଟିଂ । ଫେଲ୍ ମାରିଲେ ବୁମରା ଓ ବୋଲ୍ଟ । ଆଇପିଏଲ ୨୦୨୫ର ଦ୍ୱିତୀୟ କ୍ୱାଲିଫାୟରରେ ପଞ୍ଜାବ କିଙ୍ଗ୍ସର ଦମଦାର ବିଜୟ । ଦଳ ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି । ଜୁନ ୩ରେ ଟାଇଟଲ୍ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ପଞ୍ଜାବ । ପରାଜୟ ସହ ମୁମ୍ବାଇର ଚଳିତ ସିଜିନରେ ଅଭିଯାନ ସମାପ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ସୂର୍ଯ୍ୟକୁମାର ଯାଦବଙ୍କ ୪୪ ରନ ଓ ତିଳକ ବର୍ମାଙ୍କ ୪୪ ରନ ବଳରେ ୬ ୱିକେଟ ହରାଇ ୨୦୩ ରନ କରିଥିଲା । ଜବାବରେ ପଞ୍ଜାବ ଶ୍ରେୟସ ଆୟରଙ୍କ ବିଧ୍ୱଂସୀ ୮୭ ରନ ଓ ନେହଲ ୱେଧରାଙ୍କ ୪୮ ରନ ବଳରେ ମ୍ୟାଚକୁ ୫ ୱିକେଟରେ ଜିତି ନେଇଛି । ଚଳିତ ସିଜିନରେ ମଙ୍ଗଳବାର ଆଇପିଏଲକୁ ନୂତନ ବିଜେତା ମିଳିବାକୁ ଯାଉଛି ।
୨୦୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ କିଙ୍ଗସକୁ ଆରମ୍ଭରୁ ଝଟକା ଲାଗିଥିଲା । ଦଳ ୧୩ ରନ ସ୍କୋରରେ ପ୍ରଭସିମରନ ସିଂ( ୬ ରନ)ଙ୍କ ୱିକେଟ୍ ହରାଇଥିଲା । ପ୍ରିୟାଂଶ ଆର୍ଯ୍ୟ ୧୦ ବଲରୁ ୨୦ ରନ କରିଥିଲେ । ଜୋଶ ଇଙ୍ଗଲିଶ ୨୧ ବଲରୁ ୩୮ ରନ କରି ଦଳର ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ଏହା ପରେ ଅଧିନାୟକ ଶ୍ରେୟସ ଆୟର ଦଳର ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ । ସେ ନେହଲଙ୍କୁ ସାଥୀ କରି ମୁମ୍ବାଇ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ । ଦୁଇ ବ୍ୟାଟର ଭାଗିଦାରୀରେ ୮୪ ରନ ଯୋଡି ଦଳର ବିଜୟ ପାଇଁ ମାର୍ଗ ପ୍ରଶସ୍ତ କରିଥିଲେ ।
ନେହଲ ୨୯ ବଲରୁ ୪୮ ରନର ଉପଯୋଗୀ ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ଅନ୍ୟପଟେ ଶ୍ରେୟସ ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ । ତାଙ୍କ ବ୍ୟାଟିଂ ଆଗରେ ବୁମରା, ବୋଲ୍ଟ ସମେତ ମୁମ୍ବାଇର ସବୁ ବିବଶ ନଜର ଆସିଥିଲେ । ଶ୍ରେୟସ ୪୧ ବଲରୁ ୫ ଚୌକା ଓ ୮ ଛକା ଜରିଆରେ ୮୧ ରନର ଧୂଆଁଧାର ଇନିଂସ ଖେଳି ନିଜ ଦମରେ ଦଳକୁ ଜିତାଇଛନ୍ତି । ଏଥିସହ ପଞ୍ଜାବ ଦ୍ୱିତୀୟ ଥର ଫାଇନାଲରେ ପହଞ୍ଚିଛି ।