ନୂଆଦିଲ୍ଲୀ: ଆଜି ଆଇପିଏଲ୍ ୨୦୨୫ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ତେବେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଡରାଇବା ଭଳି ରହିଛି । ଏହା ନିଶ୍ଚିତ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳକୁ ଚିନ୍ତାରେ ପକାଇ ପାରେ । ଦଳ ଏଠାରେ ୭ଟି ଖେଳି ୫ଟି ହାରିଛି । ଏଠାରେ କେବଳ ଗୋଟିଏ ମ୍ୟାଚ୍ ଜିତିଛି ମୁମ୍ବାଇ । ୧୧ ବର୍ଷ ପୂର୍ବେ ୨୦୧୪ରେ ମୁମ୍ବାଇକୁ ଏହି ବିଜୟ ମିଳିଥିଲା । ପଞ୍ଜାବ କିଙ୍ଗ୍ସ ଆଜି କ୍ୱାଲିଫାୟର-୨ରେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିବ ।
ଅହମ୍ମଦାବାଦର ଏହି ଷ୍ଟାଡିୟମ ପୂର୍ବେ ମୋଟେରା ଷ୍ଟାଡିୟମ ନାଁରେ ପରିଚିତ ଥିଲା । ୨୦୧୪ ମେ ୧୯ରେ ମୁମ୍ବାଇ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏକମାତ୍ର ବିଜୟ ହାସଲ କରିଥିଲା । ୨୦୧୪ ପରଠୁ ମୁମ୍ବାଇ ଏହି ମଇଦାନରେ ୫ଟି ମ୍ୟାଚ୍ ଖେଳି ସବୁ ମ୍ୟାଚ୍ ହାରିଛି । ୨୦୧୫ରେ ରାଜସ୍ଥାନ ରୟାଲ୍ସ ମୁମ୍ବାଇକୁ ଏହି ଗ୍ରାଉଣ୍ଡରେ ହରାଇ ଥିବା ବେଳେ ୨୦୨୩ ପରଠୁ ଘରୋଇ ଗୁଜରାଟ ଟାଇଟନ୍ସ ମୁମ୍ବାଇକୁ ଲଗାତାର ୪ ମ୍ୟାଚ୍ ହରାଇଛି ।
ଏଲିମିନେଟର ମ୍ୟାଚ୍ ପରି ଯଦି ଆଜି ମୁମ୍ବାଇକୁ ବିଜୟ ଦରକାର ତେବେ ଟପ୍ ଅର୍ଡର ବ୍ୟାଟରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଜୋନି ବେୟାରଷ୍ଟୋ ଏଲିମିନେଟର ମ୍ୟାଚରେ ଭଲ ପ୍ରଦର୍ଶନ କରିବା ମୁମ୍ବାଇକୁ ବେଶ ଆଶ୍ୱସ୍ତ କରିଛି । ଅନ୍ୟପଟେ ପ୍ରଥମ ଥର ଟାଇଟଲ୍ ଜିତିବାକୁ ହେଲେ ପଞ୍ଜାବକୁ ଆଜିର ମ୍ୟାଚରେ ଅସାଧାରଣ ପ୍ରଦର୍ଶନ କରିବାକୁ ପଡିବ ।
ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ ଅଙ୍କ ତାଲିକାରେ ଶୀର୍ଷରେ ରହିଥିଲା । ହେଲେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଦଳ ଆରସିବିଠୁ ଶୋଚନୀୟ ପରାଜୟ ଭୋଗିଥିଲା । ଫଳରେ ଦଳକୁ ଆଜି ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ଖେଳିବାକୁ ପଡିବ । ମୁମ୍ବାଇ ପଏଣ୍ଟ ତାଲିକାରେ ଚତୁର୍ଥ ସ୍ଥାନରେ ରହିଥିଲା । ଦଳ ଏଲିମିନେଟର ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ହରାଇ କ୍ୱାଲିଫାୟର-୨ରେ ପହଞ୍ଚିଛି ।