ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ ରବିବାର ସୀମିତ ବଲ କ୍ରିକେଟକୁ ନେଇ ବଡ଼ ଘୋଷଣା କରିଛି । ପିସିବି ମହମ୍ମଦ ରିଜଓ୍ଵାନଙ୍କୁ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ପଦରେ ନିଯୁକ୍ତ କରିଛି। ରିଜଓ୍ଵାନ ଏବେ ବାବର ଆଜମଙ୍କ ସ୍ଥାନ ନେବେ। ପାକିସ୍ତାନ ଦିନିକିଆ ବିଶ୍ଵକପ୍ରେ ଶୋଚନୀୟ ପ୍ରଦର୍ଶନ କରିବା ସହ ଟି-୨୦ ବିଶ୍ଵକପ୍ରେ ବି ଦଳର ପ୍ରଦର୍ଶନ ଆଶାନୁରୂପ ନ କରିବାରୁ ବାବର ଗତ ଦିନରେ ସୀମିତ ଓଭର କ୍ରିକେଟର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ।
ପିସିବି ଅଧ୍ୟକ୍ଷ ମୋହସିନ ନକଭି କହିଛନ୍ତି ଯେ, ମେଣ୍ଟର, କୋଚିଂ ସଦସ୍ୟ ଓ ଦଳ ସହ ଆଲୋଚନା ପରେ ମହମ୍ମଦ ରିଜଓ୍ଵାନଙ୍କ ଉପରେ ସହମତି ପ୍ରକାଶ ପାଇଥିଲା। ସମସ୍ତେ ରିଜଓ୍ଵାନଙ୍କ ଉପରେ ଭରସା ପ୍ରକାଶ କରିବା ସହ ଅଧିନାୟକ କରାଯିବା ନେଇ ଏକମତହ ହୋଇଥିଲେ । ଆଉ ଆଜି ରିଜଓ୍ଵାନଙ୍କୁ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ପଦରେ ନିଯୁକ୍ତି ନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ସଲମାନ ଆଗାଙ୍କୁ ଉପ ଅଧିନାୟକ ପଦରେ ନିଯୁକ୍ତ କରାଯାଇଛି।
ରିଜଓ୍ଵାନଙ୍କ ପାଇଁ ଅଧିନାୟକ ଭାବେ ପ୍ରଥମ ସିରିଜ୍ ଅଷ୍ଟ୍ରେଲିଆ ଗସ୍ତ ରହିଛି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି-୨୦ ସିରିଜ୍ ଖେଳାଯିବ। ସୂଚନାଯୋଗ୍ୟ, ପାକିସ୍ତାନ ଘୋଷଣା କରିଥିବା କେନ୍ଦ୍ରୀୟ ଅନୁବନ୍ଧରେ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କୁ ଏ ପ୍ଲସ କାଟାଗୋରୀରେ ରଖାଯାଇଛି । ନିକଟରେ ସଂପନ୍ନ ଘରୋଇ ମାଟିରେ ଆୟୋଜିତ ଟେଷ୍ଟ ସିରିଜରେ ପାକିସ୍ତାନ ଭ୍ରମଣକାରୀ ଇଂଲଣ୍ଡକୁ ହରାଇ ନିଜର ସମ୍ମାନ ରକ୍ଷା କରି ପାରିଛି ।