ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମୁକାବିଲା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଜାରି ରହିଛି। ଏହି ମ୍ୟାଚ୍ର ତୃତୀୟ ଦିନରେ ରବିବାର ଭାରତକୁ ନ୍ୟୁଜିଲାଣ୍ଡ ବିଜୟ ପାଇଁ ୧୪୭ ରନର ଟାର୍ଗେଟ ଦେଇଛି। ନ୍ୟୁଜିଲାଣ୍ଡର ଦ୍ୱିତୀୟ ଇନିଂସ ୧୭୪ ରନ୍ରେ ସୀମିତ ରହିଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫ଟି ୱିକେଟ୍ ନେଇଥିଲେ।
ଏହି ମ୍ୟାଚରେ କିୱି ଦଳ ନିଜର ପ୍ରଥମ ଇନିଂସରେ ୨୩୫ ରନ୍ କରିଥିଲା। ଜବାବରେ ଭାରତ ପ୍ରଥମ ଇନିଂସରେ ୨୬୩ ରନ୍ କରିଥିଲା। ଅର୍ଥାତ୍ ପ୍ରଥମ ଇନିଂସ୍ ଆଧାରରେ ଭାରତ ୨୮ ରନ୍ ର ଅଗ୍ରଣୀ ହାସଲ କରିଥିଲା। ଭାରତୀୟ ଦଳ ସିରିଜ୍ ହାରିସାରିଥିବା ବେଳେ ଏବେ ଏହି ମ୍ୟାଚ୍ ଜିତି କ୍ଲିନ୍ ସ୍ୱିପ୍ ରୁ ବଞ୍ଚିବାକୁ ଚାହିଁବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ପାଇଁ ଯୋଗ୍ୟତା ଦୃଷ୍ଟିରୁ ମଧ୍ୟ ଏହି ମ୍ୟାଚ୍ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହି ମ୍ୟାଚ୍ର ପ୍ରଥମ ଦିନ ୧୪ ୱିକେଟ୍ ପତନ ପରେ ଶନିବାର ଦ୍ବିତୀୟ ଦିନ ମଧ୍ୟ ୧୫ ୱିକେଟ୍ ଝଡ଼ିଥିଲା। ଫଳରେ ତୃତୀୟ ଦିନ ରବିବାର ମ୍ୟାଚ୍ ଶେଷ ହୋଇଯିବା ସ୍ଥିତି ଉପୁଜିଛି। ଶୁକ୍ରବାର ସଂଧ୍ୟାରେ ୧୦ ମିନିଟ୍ ଓ ୮ ବଲ୍ ଭିତରେ ୩ ୱିକେଟ୍ ହରାଇବାର ଭୟଙ୍କର ପରିସ୍ଥିତିରୁ ଭାରତକୁ ଶନିବାର ଋଷଭ ପନ୍ତ ଓ ଶୁବମନ ଗିଲ୍ ବାହାର କରିଥିଲେ। ଏହା ପରେ ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ପୁରୁଣା ସ୍ପିନ୍ ଯୋଡ଼ି ମିଳିତ ଭାବେ ୭ ୱିକେଟ୍ ବାହାର କରିବାରୁ ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ପାଳିରେ ୧୭୧/୯ରେ ସଂଘର୍ଷ ଆରମ୍ଭ କରିଥିଲା। ତଥାପି ଭାରତ ପାଇଁ ହେବାକୁ ଯାଉଥିବା ବିଜୟ ଲକ୍ଷ୍ୟ ସହଜ ହେବ ନାହିଁ। ୱାଙ୍ଖ୍ଡେ ପିଚ୍ ଚିରାଚରିତ ଧାରାଠାରୁ ଅଧିକ ମନ୍ଥର ରହିଛି, ଯାହା ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି ଆର୍ ଅଶ୍ବିନ କହିଛନ୍ତି।
ଅଧିକ ପଢ଼ନ୍ତୁ: ଶତକ ହାସଲ କରି ବଡ଼ ବିଜୟ ଦେଲେ ଲିଭିଙ୍ଗଷ୍ଟନ୍