ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ)ରେ ନୂଆ କାର୍ଯ୍ୟକାରିଣୀ ଗଠନ ହୋଇଛି । ମୁମ୍ବାଇ ବସିଥିବା ବିସିସିଆଇର ବାର୍ଷିକ ସାଧାରଣସଭାରେ ନିର୍ବାଚନ ଅଧିକାରୀ ନୂଆ ପଦାଧିକାରୀଙ୍କ ନାଁ ଘୋଷଣା କରିଛନ୍ତି । ଏହି ବୈଠକ ପରେ ବିସିସିଆଇର ଦାୟିତ୍ୱ ନୂଆ ପଦାଧିକାରୀଙ୍କ ହାତକୁ ଯାଇଛି ।
ବିସିସିଆଇର ନୂଆ ଟିମରେ ମିଥୁନ ମନହାସଙ୍କୁ ବିସିସିଆଇର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ରାଜୀବ ଶୁକ୍ଳା ପୂର୍ବବତ ଉପ ସଭାପତି ପଦରେ ରହିବେ । ଦେବଜିତ ସୈକିୟାଙ୍କୁ ସଂପାଦକ ଭାବେ ପୁନଃ ନିଯୁକ୍ତ କରାଯାଇଛି । ପ୍ରଭତେଜ ସିଂ ଭାଟିଆଙ୍କୁ ଯୁଗ୍ମ ସଂପାଦକ ଭାବେ ଚୟନ କରାଯାଇଛି । ଏ ରଘୁରାମ ଭାଟ କୋଷାଧ୍ୟକ୍ଷ ଦାୟିତ୍ୱ ସମ୍ଭାଳିବେ ।
ସେହିପରି ବିସିସିଆଇରେ ଅନ୍ୟ ପଦରେ ମଧ୍ୟ ମହତ୍ୱପୂର୍ଣ୍ଣ ନିଯୁକ୍ତି ହୋଇଛି । ଜୟଦେବ ନିରଞ୍ଜନ ଶାହଙ୍କୁ ଆପେକ୍ସ କାଉନସିଲର ସଦସ୍ୟ ଭାବେ ଚୟନ କରାଯାଇଛି । ଅରୁଣ ସିଂ ଧୁମଲ ଏବଂ ଏମ ଖୈରୁଲ ଜମାଲଙ୍କୁ ଗଭଣ୍ଣିଂ କାଉନସିଲର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଏବେ ବିସିସିଆଇର ନୂଆ କାର୍ଯ୍ୟକାରିଣୀ ଆଗାମୀ କାର୍ଯ୍ୟକାଳ ପାଇଁ ଦାୟିତ୍ୱ ସମ୍ଭାଳିବେ ଏବଂ ଭାରତୀୟ କ୍ରିକେଟ୍ ସଞ୍ଚାଳନ ନୀତି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ।
କିଏ ଏହି ମିଥନ ମନହାସ ?
୪୫ ବର୍ଷୀୟ ମିଥୁନ ମନହାସ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରି ନ ଥିଲେ ବି ଘରୋଇ କ୍ରିକେଟରେ ତାଙ୍କ ରେକର୍ଡ ବହୁତ ଦମଦାର ରହିଛି । ସେ ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୯ ହଜାର ୭୧୪ ରନ କରିଛନ୍ତି । ଏଥିରେ ୨୭ ଶତକ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ସାମିଲ । ଲିଷ୍ଟ ଏ କ୍ରିକେଟରେ ସେ ୪ ହଜାର ୧୨୬ ରନ କରିଛନ୍ତି ।
ଦିଲ୍ଲୀ ରଣଜୀ ଦଳ ପକ୍ଷରୁ ସେ ଦୀର୍ଘ ସମୟ ଧରି ଅଧିନାୟକତ୍ୱ କରିଛନ୍ତି ଏବଂ ଦଳକୁ ମୁସ୍କିଲ ସ୍ଥିତିରୁ ବାହାର କରିଛନ୍ତି । ପରେ ସେ ଜମ୍ମୁ-କାଶ୍ମୀର ଫେରି ଖେଳାଳି ଓ ପ୍ରଶାସକ ଉଭୟ ଦାୟିତ୍ୱରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଏହା ବ୍ୟତୀତ ମନହାସ ଆଇପିଏଲରେ ୫୫ଟି ମ୍ୟାଚ୍ ଖେଳିଛନ୍ତି । ସେ ଦିଲ୍ଲୀ ଡେୟାର ଡେଭିଲ୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ପୁଣେ ୱାରିୟର୍ସ ପକ୍ଷରୁ ଖେଳିଛନ୍ତି ।
Also read: ଆତଙ୍କବାଦର ଗଢ ଯଦି ପାକ୍ ସହ କ୍ରିକେଟ୍ କାହିଁକି ଖେଳୁଛ, ଜୟଶଙ୍କରଙ୍କୁ କଂଗ୍ରେସର ପ୍ରଶ୍ନ