ଅହମଦାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ୍) ୨୦୨୪ର ପ୍ରଥମ କ୍ୱାଲିଫାୟରରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ୮ ୱିକେଟ୍ରେ ହରାଇ କୋଲକାତା ନାଇଟ୍ ରାଇଡର୍ସ ଫାଇନାଲରେ ପ୍ରବେଶ କରିଛି । ଏହା ପୂର୍ବରୁ ମଧ୍ୟ କୋଲକାତା ୨୦୧୨ ଓ ୨୦୧୪ରେ କୋଲକାତା ଟିମ୍ ଚାମ୍ପିଅନ ହୋଇଥିଲା । ସେହିପରି ୨୦୨୧ରେ ଫାଇନାଲରେ ପହଞ୍ଚି ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ପରାସ୍ତ ହୋଇଥିଲା ।
ଅହମଦାବାଦ୍ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଙ୍ଗଳବାର ହାଇଦ୍ରାବାଦ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା, ଯାହାକି ଦଳ ସପକ୍ଷରେ ନଥିଲା । କୋଲକାତାର ଶୀର୍ଷ ସ୍ତରର ବୋଲିଂ ଆଗରେ ହାଇଦ୍ରାବାଦ୍ ଧରାଶୟୀ ହୋଇଥିଲା । ପୂରା ଟିମ୍ ୧୯.୩ ଓଭରରେ ୧୫୯ ରନ୍ କରିଥିଲେ । ଜବାବରେ କୋଲକାତା ଭେଙ୍କଟେଶ ଆୟର ଓ ଶ୍ରେୟସ ଆୟରଙ୍କ ଅପରାଜିତ ଅର୍ଦ୍ଧଶତକୀୟ ବଳରେ ୨ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା । ଫଳରେ କୋଲକାତା ୮ ୱିକେଟ୍ରେ ବିଜୟୀ ହୋଇଥିଲା ।
ଶ୍ରେୟସ ଆୟର ଓ ଭେଙ୍କଟେଶ ଆୟର ଯୋଡ଼ି ତୃତୀୟ ୱିକେଟ୍ ପାଇଁ ଅପରାଜିତ ୯୭ ରନ୍ର ଭାଗିଦାରୀ କରିଥିଲେ । ଉଭୟ ଅପରାଜିତ ରହି ବିଜୟ ଲକ୍ଷ୍ୟ ପୂରା କରିଥିଲେ । ଶ୍ରେୟସ ବିସ୍ଫୋରକ ବ୍ୟାଟିଂ କରି ୨୪ଟି ବଲ୍ରୁ ୫ଟି ଚୌକା ଓ ୪ଟି ଛକା ବଳରେ ୫୮ ରନ୍ କରିଥିଲେ । ଭେଙ୍କଟେଶ ୨୮ଟି ବଲ୍ ଖେଳି ୫୧ ରନ୍ କରିଥିଲେ । ତାଙ୍କ ବ୍ୟାଟ୍ରୁ ୫ଟି ଚୌକା ଓ ୪ଟି ଛକା ବାହାରିଥିଲା । ଏହା ପୂର୍ବରୁ ପ୍ରାରମ୍ଭିକ ବ୍ୟାଟର ରହମନୁଲ୍ଲାହ ଗୁରବାଜ ୨୩ ରନ୍ ଓ ସୁନୀଲ ନାରାୟଣ ୨୧ ରନ୍ ସଂଗ୍ରହ କରିଥିଲେ ।