ମୁମ୍ବାଇ: ମୁମ୍ବାଇର ଓ୍ଵାଙ୍ଖେଡ଼େରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଡ୍ରାଇଭ ସିଟରେ ଭାରତ । ବୋଲରଙ୍କ ଘାତକ ବୋଲିଂରେ ଦୃଢ ସ୍ଥିତିରେ ପହଞ୍ଚି ଯାଇଛି ରୋହିତ ବାହିନୀ। ପ୍ରଥମ ଇନିଂସରେ ଭାରତ ୨୬୩ ରନ କରିବା ପରେ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ବିପର୍ୟ୍ୟ ୟ ଭୋଗି ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ହାତରେ ଗୋଟିଏ ଓ୍ଵିକେଟ୍ ଥିବା ବେଳେ କିଓ୍ଵି ଦଳ ୧୪୩ ରନ ଅଗ୍ରଣୀ ହାସଲ କରିଛି। ଏଜାଜ ପଟେଲ୍ ୭ ରନ କରି କ୍ରିଜରେ ଅଛନ୍ତି। ମ୍ୟାଚ୍ ତୃତୀୟ ଦିନରେ ସରିବାର ଯଥେଷ୍ଟ ସମ୍ଭାବନା ରହିଛି। ଜାଡ଼େଜା ଓ ଅଶ୍ଵିନ ମିଳିତ ୭ ଓ୍ଵିକେଟ୍ ନେଇ ଭାରତର ବିଜୟ ଆଶା ବଢାଇଛନ୍ତ।
ଭାରତ ୨୬୩ ରନରେ ଅଲଆଉଟ୍ ହେବା ପରେ ଦ୍ଵିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ପ୍ରଥମ ଓଭରରେ ହିଁ ଅଧିନାୟକ ଟମ୍ ଲାଥମ(୧)ଙ୍କୁ ଆଉଟ୍ କରି ଆକାଶ ଦୀପ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଡେଭନ କନଓ୍ଵେ ୨୨ ରନ କରି ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ଓ୍ଵିଲ ୟଙ୍ଗ ଧୈର୍ୟ୍ୟାର ସହ ବ୍ୟାଟିଂ କରି କରିଥିଲେ। କ୍ରିଜରେ ଗୋଟିଏ ପଟେ ୟଙ୍ଗ ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ନ୍ୟୁଜିଲାଣ୍ଡ ଓ୍ଵିକେଟ୍ ପତନ ଘଟି ଚାଲିଥିଲା। ଡାରିଲ ମିଚେଲ (୨୧) ଓ ଟମ୍ ବ୍ଲଣ୍ଡେଲ(୪) ରବୀନ୍ଦ୍ର ଜାଡ଼େଜାଙ୍କ ଶିକାର ହୋଇଥିଲେ।
ଗ୍ଲେନ ଫିଲିପ୍ସ ଦ୍ରୁତ ୨୬ରନ କରିଥିଲେ ହେଁ ଇନିଂସକୁ ଆଗକୁ ବଢାଇ ପାଇ ନ ଥିଲେ। ଇଶ ସୋଢି(୮), ମ୍ୟାଟ୍ ହେନେରୀ(୧୦) ଆଉଟ୍ ହୋଇଥିଲେ। ଓ୍ଵିଲ ୟଙ୍ଗ ଦ୍ଵିତୀୟ ଇନିଂସରେ ବି ୫୧ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷରେ ଦ୍ଵିତୀୟ ଦିନର ଖେଳ ଶେଷ ସୁ୍ଦ୍ଧା ନ୍ୟୁଜିଲାଣ୍ଡ ୯ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୫୨ ରନ ଦେଇ ସର୍ବାଧିକ ୪ ସଫଳତା ପାଇଛନ୍ତି। ଅଶ୍ଵିନ ୬୩ ରନ ବ୍ୟୟ କରି ୩ ଓ୍ଵିକେଟ୍ ନେଇଛନ୍ତି।
ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୬୩ ରନ କରି ୨୮ ରନର ଅଗ୍ରଣୀ ହାସଲ କରିଥିଲା ଶୁଭମନ ଗିଲ୍ ୯୦ କରି ଶତକରୁ ବଞ୍ଚିତ ହୋଇଥିଲେ। ଋଷଭ ପନ୍ତ ୬୦ ରନ, ଓ୍ଵାଶିଂଟନ ସୁନ୍ଦର ୩୮ ଓ ଯଶସ୍ଵୀ ଜୟସ୍ଵାଲ ୩୦ ରନ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ଏଜାଜ ପଟେଲ୍ ୫ ଓ୍ଵିକେଟ୍ ନେଇଥିଲେ।