କଲୋମ୍ବୋ: ପୁରୁଷ କ୍ରିକେଟ୍ ଦଳ ପରେ ଏବେ ମହିଳା କ୍ରିକେଟ୍ ଦଳ ପାକିସ୍ତାନକୁ ଧୂଳି ଚଟାଇଛନ୍ତି । ଶ୍ରୀଲଙ୍କାର କଲୋମ୍ବୋରେ ଖେଳା ଯାଇଥିବା ମହିଳା ବିଶ୍ୱକପ ୨୦୨୫ର ଏକ ମ୍ୟାଚରେ ଭାରତୀୟ ମହିଳା ଦଳ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ୮୮ ରନରେ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୭ ରନ କରିଥିଲା । ଜବାବରେ ପାକିସ୍ତାନ ୧୫୯ ରନରେ ଅଲଆଉଟ୍ ହୋଇଛି । ଟୁର୍ଣ୍ଣାମେଣ୍ଟରେ ଭାରତ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଥିବା ବେଳେ ପାକିସ୍ତାନର ଏହା ୨ୟ ପରାଜୟ । ଏହା ସହିତ ଭାରତ ଦିନିକିଆ କ୍ରିକେଟରେ ପାକିସ୍ତାନରେ ବିପକ୍ଷରେ ନିଜର ଅପରାଜେୟ ବିଜୟ ୧୨-୦ ଜାରି ରଖିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪୭ ରନ କରିଥିଲା । ଦଳ ପକ୍ଷରୁ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନ ଥିଲେ । ତଥାପି ହର୍ଲିନ ଦେଓଲଙ୍କ ୪୬ ରନର ଇନିଂସ, ଜେମିମା ରୋଡ୍ରିଗ୍ସଙ୍କ ୩୨ ରନ ଓ ଋଚା ଘୋଷଙ୍କ ଅପରାଜିତ ଦ୍ରୁତ ୩୫ ରନ ବଳରେ ଭାରତ ଏହି ସ୍କୋର କରି ପାରିଛି । ପିଚ୍ ଧିମା ଥିବାରୁ ଭାରତୀୟ ବ୍ୟାଟରଙ୍କୁ କିଛିଟା ସମସ୍ୟା ହୋଇଥିଲା । ତଥାପି ବ୍ୟାଟରଙ୍କ ଛୋଟ ଛୋଟ ଯୋଗଦାନରେ ଦଳ ୨୪୭ ରନରେ ପହଞ୍ଚି ପାରିଥିଲା । ବୋଲିଂରେ ପାକିସ୍ତାନ ପକ୍ଷରୁ ଦିଆନା ବୈଗ ୪ ୱିକେଟ୍ ହାସଲ କରିଥିଲେ ।
ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନର ଆରମ୍ଭ ଅତି ନିରାଶଜନକ ଥିଲା । ଦଳ ୨୦ ରନ ଭିତରେ ଦୁଇ ଓପନର ମୁନିବା ଅଲ୍ଲୀ(୨) ଓ ସାଦାଫ ସାମସ(୬)ଙ୍କ ୱିକେଟ୍ ହରାଇଥିଲା । ମଧ୍ୟକ୍ରମରେ ସିଦ୍ରା ଅମିନ ଓ ନଟଲିଆ ପରଭିଜ ୬୯ ରନ ଯୋଡି ପାକିସ୍ତାନର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ । ହେଲେ ରନ ଗତିହାର ବଢି ଚାଲିବାରୁ ପାକିସ୍ତାନ ଚାପର ଶିକାର ହୋଇଥିଲା । ନେତାଲି ପରଭିଜ ୩୩ ରନ କରି ଆଉଟ୍ ହୋଇଥିଲେ । ସିଦ୍ରା ଅମିନ ୮୧ ରନର ଇନିଂସ ଖେଳିବାରୁ ପାକିସ୍ତାନ ୧୫୯ ରନରେ ପହଞ୍ଚି ପାରିଛି । ଭାରତ ପକ୍ଷରୁ ବୋଲିଂରେ କ୍ରାନ୍ତି ଗୌଡ ମାତ୍ର ୨୦ ରନ ଦେଇ ୩ଟି ୱିକେଟ ନେଇଛନ୍ତି । ଦୀପ୍ତି ଶର୍ମାଙ୍କୁ ୩ ଓ ସ୍ନେହ ରଣାଙ୍କୁ ୨ଟି ୱିକେଟ ମିଳିଛି ।