ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ପଞ୍ଚମ ଟେଷ୍ଟର ଶନିବାର ହେଉଛି ତୃତୀୟ ଦିନ । ମ୍ୟାଚରେ ଏ ପର୍ଯ୍ୟନ୍ତ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ପ୍ରଥମ ଦୁଇ ଦିରେ ୨୧ ୱିକେଟର ପତନ ଘଟି ସାରିଛି । ତେଣୁ ତୃତୀୟ ଦିନର ଖେଳ ବେଶ ମହତ୍ୱପୂର୍ଣ୍ଣ ରହିଛି । ଆଜି ଭାରତୀୟ ବ୍ୟାଟର ଅଧିକ ରନ କରିବାକୁ ଚେଷ୍ଟା କରିବେ । ସିରାଜଓ ପ୍ରସିଦ୍ଧଙ୍କ ଦମଦାର ବୋଲିଂ ବଳରେ ଭାରତ ଘରୋଇ ଦଳର ଇନିଂସକୁ ୨୪୭ ରନରେ ସୀମିତ ରଖି ପାରିଛି । ଏହା ପରେ ଭାରତ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୭୫ ରନ କରିଛି । ଏହା ସହ ଦଳ ୫୨ ରନର ଅଗ୍ରଣୀ ହାସଲ କରିଛି । କ୍ରିଜରେ ଯଶସ୍ୱୀ ଜୟସ୍ୱାଲ ଅର୍ଦ୍ଧଶତକ ସହ ଅପରାଜିତ ଅଛନ୍ତି ।
ତୃତୀୟ ଦିନରେ ଭାରତ ଜୟସ୍ୱାଲ, ଗିଲ୍, କରୁଣ ନାୟର, ଜାଡେଜା ଓ ସୁନ୍ଦରଙ୍କଠୁ ବଡ ଇନିଂସର ଆଶା ରଖିଛି । ବିଶେଷ କରି ଦ୍ୱିତୀୟ ଇନିଂସ କରୁଣ ନାୟରଙ୍କ ପାଇଁ ସବୁଠୁ ବଡ ପରୀକ୍ଷାର ବେଳ ହେବ । ସେ ଉକ୍ତ ସିରିଜରେ କିଛି ଖାସ୍ ପ୍ରଦର୍ଶନ କରି ପାରି ନାହାନ୍ତି । ତେବେ ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଯଦି ଦ୍ୱିତୀୟ ଇନିଂସରେ ବଡ ଇନିଂସ ନ ଖେଳନ୍ତି ତେବେ ଏହା ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ହୋଇପାରେ । ୮ ବର୍ଷ ପରେ କରୁଣ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଚଳିତ ସିରିଜରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ରନ ହାସଲକାରୀ ବ୍ୟାଟର । ତାଙ୍କଠୁ ଭାରତୀୟ ଦଳ ବଡ ଇନିଂସର ଆଶା ରଖିଛନ୍ତି । ପ୍ରଥମ ଇନିଂସରେ ଭଲ ବ୍ୟାଟିଂ କରୁଥିଲେ ହେଁ ଭୁଲବଶତଃ ରନ ଆଉଟ୍ ହୋଇଥିଲେ । ତୃତୀୟ ଦିନରେ ବି ବୋଲରଙ୍କ ଦବଦବା ଦେଖିବାକୁ ମିଳିପାରେ । ଆଜି ପ୍ରଥମ ସେସନର ଖେଳ ବେଶ ଗୁରୁତ୍ୱପୂର୍ଣ୍ଣ । ଯଦି ଏହି ସେସନରେ ଭାରତ ୱିକେଟ୍ ନ ହରାଏ ତେବେ ଦଳ ବଡ ସ୍କୋର କରିପାରିବ । ଗତକାଲି ଦ୍ୱିତୀୟ ଦିନର ପ୍ରଥମ ସେନସରେ ଭାରତ ୪ ୱିକେଟ୍ ହରାଇ ଅଲଆଉଟ୍ ହୋଇଥିଲା । ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୨୨୪ ରନ କରିଥିଲା । ଜବାବରେ ଇଂଲଣ୍ଡ ୨୪୭ ରନ କରି ୨୩ ରନ ଅଗ୍ରଣୀ ହାସଲ କରିଥିଲା ।