ଲଣ୍ଡନ: ଓଭାଲ ଗ୍ରାଉଣ୍ଡରେ ଖେଳା ଯାଉଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟର ଦେଖିବାକୁ ମିଳିଛି ବୋଲରଙ୍କ ରାଜୁତି । ଦ୍ୱିତୀୟ ଦିନରେ ବୋଲରଙ୍କ ଦମଦବା ଦେଖିବାକୁ ମିଳିଛି । ଫଳରେ ଶୁକ୍ରବାର ୧୬ ୱିକେଟର ପତନ ଘଟିଛି । ମ୍ୟାଚ୍ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି । ଆହୁରି ତିନି ଦିନ ଖେଳ ବାକି ଥିବାରୁ ପାଗ ଯଦି ଭଲ ରହେ ତେବେ ଫଳାଫଳ ଯେ କୌଣସି ଦଳ ସପକ୍ଷରେ ଯିବା ସୁନିଶ୍ଚିତ । ପ୍ରଥମେ ଭାରତ ୨୨୪ ରନରେ ଅଲଆଉଟ୍ ହୋଇଥିଲା । ଏହା ପରେ ଭାରତୀୟ ବୋଲର ପାଲଟା ଜବାବ ଦେଇ ଘରୋଇ ଦଳର ପ୍ରଥମ ଇନିଂସକୁ ୨୪୭ ରନରେ ସୀମିତ ରଖିଥିଲେ । ଏହା ପରେ ଭାରତ ଦ୍ୱିତୀୟ ଇନିଂସରେ ଷ୍ଟମ୍ପ ଅପସାରଣ ସୁଦ୍ଦା ୨ ୱିକେଟ୍ ହରାଇ ୭୫ ରନ କରିଛି । ଭାରତ ୫୨ ରନର ଅଗ୍ରଣୀ ହାସଲ କରି ସାରିଛି । କ୍ରିଜରେ ଜଶସ୍ୱୀ ଜୟସ୍ୱାଲ ୫୧ ରନ ଓ ନାଇଟ୍ ୱାଚମ୍ୟାନ ଆକାଶ ଦୀପ ୪ ରନ କରି ଅପରାଜିତ ଅଛନ୍ତି ।
ଏହା ପୂର୍ବରୁ ଇଂଲଣ୍ଡ ନିଜର ପ୍ରଥମ ଇନିଂସ ବ୍ୟାଟିଂ କରିଥିଲା । ଦୁଇ ଓପନର ଜ୍ୟାକ କ୍ରାଉଲି ଓ ବେନ ଡକେଟ୍ ଟି-୨୦ ଶୈଳୀରେ ବ୍ୟାଟିଂ କରି ଦଳକୁ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ଏମିତି ବ୍ୟାଟିଂ କରିଥିଲେ ଲାଗୁଥିଲା ସତେ ଯେମିତି ଟି-୨୦ ମ୍ୟାଚ୍ ଚାଲିଛି । ମାତ୍ର ୧./୭ ଓଭରରେ ଇଂଂଲଣ୍ଡ ୯୨ ରନ କରିଥିଲେ । ଏହି ସ୍କୋରରେ ଡକେଟ୍ ଆଉଟ୍ ହୋଇଥିଲେ । ସେ ୩୮ ବଲରୁ ୫ ଚୌକା ଓ ୨ ଛକା ସହ ୪୩ ରନ କରିଥିଲେ । ଏହା ପରେ ଅର୍ଦ୍ଧଶକତ ହାସଲ କରିଥିବା କ୍ରାଉଲି ୬୪ ରନ କରି ଆଉଟ୍ ହୋଇଥିଲେ । ଦୁଇ ଓପନରଙ୍କ ପତନ ପରେ ଭାରତୀୟ ବୋଲର ଶାଣିତ ବୋଲିଂ କରି ଇଂରେଜ ବ୍ୟାଟରଙ୍କୁ କ୍ରିଜରେ ତିଷ୍ଠିବାକୁ ଦେଇ ନ ଥିଲେ । ଅଧିନାୟକ ଓଲି ପୋପ ୨୨ ରନ କରିଥିବା ବେଳେ ଜୋ ରୁଟ ୨୯ ରନ କରି ଉଭୟ ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ ।
ଏହା ପରେ ହାରି ବ୍ରୁକଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତୀଷ୍ଠି ପାରି ନ ଥିଲେ । ହ୍ୟାରି ବ୍ରୁକ ୫୩ ରନ କରି ଶେଷ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ । ଶେଷରେ ଇଂଲଣ୍ଡ ୨୪୭ ରନ କରିଥ ଭାରତଠୁ ୨୩ ରନ ଅଗ୍ରଣୀ ହାସଲ କରିଥିଲା । ଏହା ପରେ ଭାରତ ଦ୍ୱିତୀୟ ଇନିଂସରେ ଜୟସ୍ୱାଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨ ୱିକେଟ ହରାଇ ଥିଲେ ହେଁ ୭୫ ରନ କରି ନେଇଛି । ଜୟସ୍ୱାଲ ୫୧ ରନ ଓ ଆକାଶ ଦୀପ ୪ ରନ କରି କ୍ରିଜରେ ଅଛନ୍ତି । ଇଂଲଣ୍ଡ ପକ୍ଷରୁ ବୋଲିଂରେ ଏଟକିନସନ ୫ ୱିକେଟ୍ ସଫଳତା ହାସଲ କରିଥିଲେ ।