ନୂଆଦିଲ୍ଲୀ: ସଂପ୍ରତି ଭାରତୀୟ ଦଳ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳୁଛି । ଦଳ କେତେ ବେଳେ ଅବିଶ୍ୱସନୀୟ ପ୍ରଦର୍ଶନ କରୁଥିବା ବେଳେ ଆଉ କେତେବେଳେ ଲଜ୍ଜାଜନକ ଖେଳ ଖେଳୁଛି । ଆଉ ଏହା ସବୁ କୋଚ୍ ଗୌତମ ଗମ୍ଭୀରଙ୍କ ସମୟରେ ଦେଖିବାକୁ ମିଳୁଛି । କିଛି ସପ୍ତାହ ପୂର୍ବରୁ ଅଭିଷେକ ନାୟରଙ୍କୁ ବିସିସିଆଇ ଟିମ ଇଣ୍ଡିଆର ସହାୟକ କୋଚ୍ ପଦରୁ ହଟାଇଥିଲା । ଏବେ ସଦ୍ୟତମ ଖବର ଅନୁଯାୟୀ, କୋଚିଂ ଷ୍ଟାଫରେ ସାମିଲ ଅନ୍ୟ ୨ କୋଚଙ୍କ ଚାକିରି ଯାଇପାରେ । ହେଡ୍ କୋଚ୍ ଗମ୍ଭୀରଙ୍କ ତତ୍ୱାବଧାନରେ ଯୁବ ଟେଷ୍ଟ ଦଳ ପ୍ରସ୍ତୁତ କରାଯାଉଛି । ମାତ୍ର ଟେଷ୍ଟ ସିରିଜରେ ନିରାଶଜନକ ପ୍ରଦର୍ଶନ କାରଣରୁ ମର୍ଣ୍ଣି ମୋର୍କେଲ ଓ ରାୟନ ଟେନ ଡୋଇଶେଙ୍କୁ ବାହାର କରାଯାଇପାରେ । ଦ ଟେଲିଗ୍ରାଫ ଅନୁଯାୟୀ, ବିସିସିଅ।।ଇ ଶୀଘ୍ର ଉଭୟଙ୍କୁ ବରଖାସ୍ତ କରିପାରେ ।
ନିଜର କାର୍ଯ୍ୟକାଳର ୭ ମାସ ପୂରିବା ପରେ ଅଭିଷେକ ନାୟରଙ୍କୁ ହଟାଇ ଦିଆଯାଇଥିଲା । ଦ ଟେଲିଗ୍ରାଫ ଅନୁସାରେ, ଗତ ୩ ଗସ୍ତର ରଣନୀତି ଓ ଦଳ ଚୟନକୁ ଦେଖି ବିସିସିଆଇ ମର୍ଣ୍ଣିଂ ମୋର୍କେଲ ଓ ରାୟନ ଟେନ ଡୋଇଶେଙ୍କୁ ସହାୟକ କୋଚ୍ ପଦରୁ ହଟାଇପାରେ । ସୂତ୍ର ମୁତାବକ କୋଚ୍ ସର୍ବଦା ଦଳରେ ସନ୍ତୁଳନ ବଜାୟ ରଖିବା ଉପରେ ଧ୍ୟାନ ଦିଅନ୍ତି, ମାତ୍ର କୁଲଦୀପ ଯାଦବଙ୍କ ପରି ବିଶ୍ୱସ୍ତରୀୟ ସ୍ପିନରଙ୍କୁ ବାହାରେ ବସାଇବାର ପରିଣାମ ଭାରତକୁ ଭୋଗିବାକୁ ପଡିଛି ।
ଭାରତ-ଇଂଲଣ୍ଡ ସିରିଜ ଉପରେ ନଜର ପକାଇଲେ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ସବୁଠୁ ଅଧିକ ବୋଲିଂ କରିଛନ୍ତି । ଏମିତି ମଧ୍ୟ ଅଷ୍ଟ୍ରେଲିଆରେ ହୋଇଥିଲା । ମାତ୍ର ଦଳ ପ୍ରବନ୍ଧକ ନିଜ ଭୁଲରେ ସୁଧାର କରି ପାରିଲେନି । ଇଂଲଣ୍ଡ ବିପକ୍ଷ ସିରିଜରେ ସିରାଜ ରବୀନ୍ଦ୍ର ଜାଡେଜାଙ୍କଠୁ ବି ଅଧିକ ବୋଲିଂ କରିଛନ୍ତି । ବୁମରା ମଧ୍ୟ ଏ ପର୍ଯ୍ୟନ୍ତ ସିରିଜରେ ୧୧୯.୪ ଓଭର ବୋଲିଂ କରି ସାରିଛନ୍ତି ।
ରିପୋର୍ଟ ଅନୁସାରେ ଭାରତ ବନାମ ଇଂଲଣ୍ଡ ସିରିଜର ପରିଣାମ ଯାହା ବି କିଛି ହେଉ ନା କହିଁକି, ମୋର୍କଲେ ଓ ଡୋଇଶେଙ୍କ ଚାକିରି ଯିବା ପ୍ରାୟତଃ ସ୍ପଷ୍ଟ । ଉଭୟଙ୍କ ପଦ ଏସିଆ କପ୍ ୨୦୨୫ ପର୍ଯ୍ୟନ୍ତ ସୁରକ୍ଷିତ ରହିପାରେ । କାରଣ ଧଳା ବଲ୍ କ୍ରିକେଟରେ ଦଳର ପ୍ରଦର୍ଶନ ଦମଦାର ରହିଛି । କିନ୍ତୁ ଅକ୍ଟୋବରରେ ଭାରତର ୱେଷ୍ଟଇଣ୍ଡିଜ ସହ ଟେଷ୍ଟ ସିରିଜ୍ ବେଳକୁ ମୋର୍କେଲ ଓ ଡୋଇଶେ ଦଳରେ ନ ଥିବେ ।