ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବଳଙ୍ଗା ପୀଡିତା । ଦୀର୍ଘ ୧୫ ଦିନର ଜୀବନ ମରଣ ସଂଘର୍ଷ ପରେ ଆଜି ଆଖି ବୁଜିଛନ୍ତି ବଳଙ୍ଗା ପୀଡିତା । ତାଙ୍କୁ ଗତ ମାସ ୨୦ ତାରିଖରେ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତରଙ୍କ ଅହୋରାତ୍ର ଚେଷ୍ଟା ପରେ ମଧ୍ୟ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ । ଏହି ଘଟଣା ଶୁଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଶୋକବ୍ୟକ୍ତ କରିଛନ୍ତି ।
ସୂଚନା ଅନୁସାରେ, ଗତ ମାସ ୧୯ ତାରିଖରେ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ହତ୍ୟା ପାଇଁ ଉଦ୍ୟମ କରିଥିଲେ । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପୀଡିତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।
ଏହି ଘଟଣାର ତଦନ୍ତ କରି ପୁଲିସ କ୍ରାଇମ ସ୍ପଟ୍ରୁ କିରୋସିନି ତେଲ ବୋତଲ ସହ ପୋଡ଼ା କପଡ଼ା ଇତ୍ୟାଦି ଜବତ କରିଥିଲା । ଜବତ ସାମଗ୍ରୀ ମଧ୍ୟର ଏକ ରୁପା ମୁଦି ମିଳିଥିଲା । ଯାହାକି ଏକ ବଡ଼ ସୁରାକ ମଧ୍ୟ କୁହାଯାଉଥିଲା । ମୁଦି କିଣାଯାଇଥିବା ବଳଙ୍ଗା ବଜାରର ଦୋକାନ ମାଲିକଙ୍କୁ ପୋଲିସ ରାତି ତମାମ ଜେରା ମଧ୍ୟ କରିଥିଲା। ଏହାସହିତ ବଳଙ୍ଗା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଟିମ୍ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲେ ।